ଟାଙ୍ଗୀ ପୋଲିସର ପାଟ୍ରୋଲିଂ ଗାଡିକୁ ଦେଖି ଓଲଟିଲା ପଥର ବୋଝେଇ ମିନି ଟ୍ରକ୍: ଜଣେ ମୃତ, ୨ ଗୁରୁତର

Published: Jun 30, 2021, 10:51 am IST

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: କୋରୋନା ମହାମାରୀକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି।  ଏହି ଲକ୍ ଡାଉନ୍ କୁ କଡା କଡି କରିବା ପାଇଁ ପୋଲିସ୍ ବିଭାଗ ସଂପୂର୍ଣ୍ଣ ତତ୍ପର ହୋଇଛ। ବିଭିନ୍ନ ସ୍ଥାନରେ ନାକା ଲଗାଇବା ସହ କଡା କଡି ପାଟ୍ରୋଲିଂ କରୁଛି।

ତେବେ ଏସଵୁକୁ ଖାତିର ନକରି ପଥର ମାଫିଆମାନେ ସେମାନଙ୍କର କାରବାର ଵେଧଡକ ଚଳାଉଛନ୍ତି। ନିସ୍ତବ୍ଧ ରାତିରେ ଏହି ପଥର ମାଫିଆମାନେ ସେମାନଙ୍କର କାରବାର ଚଳାଉଛନ୍ତି।

ଗତ କାଲି ରାତିରେ ଟାଙ୍ଗୀ ତଳଗଡ କୁହୁଡି ମୌଜାରୁ ଚୋରା ପଥର ବୋଝେଇ ହୋଇ ବାଲୁଗାଁ ଅଭିମୁଖେ କେତେକ ଟ୍ରକ, ମିନିଟ୍ରକ୍ ବାହାରିଥିଲେ। ହେଲେ କୁହୁଡି ଓଭର ବ୍ରିଜ୍ ତଳେ ପୋଲିସ୍ ପାଟ୍ରୋଲିଂ ଗାଡିକୁ ଦେଖି କେତେକ ପଥର ବୋଝେଇ ଗାଡି ଦେଖି ବାଟ କାଟି ଅନ୍ୟ ରାସ୍ତାରେ ପଳାଇ ଯାଇଥିଲେ। ତେବେ ଗୋଟିଏ ମିନିଟ୍ରକ୍ ପୋଲିସ୍ ଗାଡିକୁ ଦେଖି ଦୃତ ଵେଗରେ ପଳାଇ ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ କୟଥପଲ୍ଲା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଫଳରେ ଗାଡି ଭିତରେ ଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଯୁବ ଶ୍ରମିକ ଚିତ୍ତରଂଜନ ପଲେଇ (୩୫ ବର୍ଷ) ଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଅନ୍ୟ ଦୁଇ ଜଣ ଶ୍ରମିକଙ୍କୁ ଗୁରୁତର ଅଵସ୍ଥାରେ ଭୁଵନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତ ୩ ଜଣ ଶ୍ରମିକ କୁହୁଡି ଗ୍ରାମର ବୋଲି ଜଣାପଡିଛି। ଟାଙ୍ଗୀ ପୋଲିସ୍ ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Related posts