କଳାହାଣ୍ଡି ରେ ପି.ସି.ଭି. ଟୀକାକରଣର କାର୍ଯ୍ୟକ୍ରମ ଶୁଭାରମ୍ଭ

Published: Jun 30, 2021, 8:49 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ୍ଦ ଭାବେ ନିମୋକୋକାଲ କଞ୍ଜୁଗେଟ ଟିକା ବା ପି.ସି.ଭି. କୁ ଯୋଡ଼ା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମାନ୍ୟବର ଶିଳ୍ପ, ଶକ୍ତି, ଗୃହ ଏମ.ଏସ.ଏମ.ଇ. ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟବ୍ୟାପୀ ଏହି ଯୋଜନା ଆଜିଠାରୁ ଆରମ୍ଭ କରାଯିବା ପରେ ରାଜ୍ୟର ପାଖାପାଖି ଆଠ ଲକ୍ଷ ଶିଶୁ ଉପକୃତ ହେବେ। ଏହି ଟୀକା ଶିଶୁ ମାନଙ୍କୁ ପ୍ରଥମ ଡୋଜ ଜନ୍ମ ହେବାର ଦେଢ଼ ମାସ, ଦ୍ୱିତୀୟ ଡୋଜ୍ ସାଡେ ତିନି ମାସ ଓ ତୃତୀୟ ଡୋଜ ୯ ମାସ ବ୍ୟବଧାନରେ ଦିଆଯିବା ଯୋଜନା କରାଯାଇଛି। ପ୍ରତି ସପ୍ତାହର ବୁଧବାର ଦିନ ଏହି ଟୀକା ପିଲାଙ୍କୁ ନିୟମିତ ଟୀକାକରଣ ଦିଆଯିବ। ଏହି ଟିକାର ସେଭଳି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

ନିମୋକୋକଲ ଜୀବାଣୁ ସଂକ୍ରମଣ ଫଳରେ, ନିମୋନିଆ ହେବା ଯୋଗୁଁ ପ୍ରତି ହଜାରେ ଶିଶୁ ମଧ୍ୟରେ ୫୪ ଶିଶୁ ମୃତ୍ୟୁବରଣ କରୁଥିଲେ। ତେବେ ଏହି ଟୀକାକରଣ ଦ୍ଵାରା ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରେ ଶିଶୁମୃତ୍ୟୁ ହାର କମ କରିବାରେ ସରକାର ସଫଳ ହେବେ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନ୍ଫରେନ୍ସ ହଲ ଠାରେ ଆୟୋଜିତ ପ୍ରେସ କନ୍ଫରେନ୍ସରେ ବିବୃତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ଜଳନ୍ଧର ମେହେର, ଏଡିପିଏଚଓ ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related posts