ଜଘନ୍ୟ ହତ୍ୟାକାଣ୍ଡର ଗୁମର ଖୋଲିଲା ବାଣପୁର ପୋଲିସ: ଦୁଇ ଅଭିଯୁକ୍ତ ହେଲେ ଗିରଫ

Published: Aug 14, 2021, 7:30 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲି ଗ୍ରାମରେ ଗତକାଲି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ। ଉକ୍ତ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ଵୟ ହେଲେ ବିକ୍ରମ ନରେନ୍ଦ୍ରସିଂହ ଏବଂ ଦୁଲି ପ୍ରଧାନ। ଏ ନେଇ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ଆଇଆଇସିଙ୍କ ସୂଚନା ମୁତାବକ ଗତକାଲି ଝିଣ୍ଟିକାପଲ୍ଲି ଗ୍ରାମର କାଁହୁଚରଣ ପରିଡାଙ୍କୁ ଏକାଧିକ ଦୁର୍ବୁତ୍ତ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ। ଏନେଇ କାହ୍ନୁଙ୍କ ପତ୍ନୀ ବବିତା ପରିଡା ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ବାଣପୁର ପୋଲିସ କେସ ନମ୍ବର ୨୯୦/୨୧ ରେ ମାମଲା ରୁଜୁକରି ତଦନ୍ତ ଜାରିରଖିଥିଲା।

ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ, ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ ଜେନା ଉକ୍ତ ହତ୍ୟାକାଣ୍ଡର ତଦନ୍ତ ଜାରିରଖିଥିବା ବେଳେ ଚବିଶ ଘଣ୍ଟା ମଧ୍ୟରେ ଉକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇଛନ୍ତି। ପୂର୍ବଶତ୍ରୁତା ଲାଗି ଉକ୍ତ ହତ୍ୟାକାଣ୍ଡ ହୋଇଥିବାର ପୋଲିସ ପ୍ରକାଶ କରିଛି।

ତେବେ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ଜାରିରହିଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Related posts