ଚିଲିକା ମଝିରେ ଫସିଲେ ୩୨ ଯାତ୍ରୀ: ଅନ୍ୟ ଏକ ଲଞ୍ଚ ଦ୍ଵାରା କରାଗଲା ଉଦ୍ଧାର

Published: Sep 18, 2021, 2:23 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ୩୨ ଯାତ୍ରୀଙ୍କୁ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଫସିଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚଟି ଦୀର୍ଘ ସମୟ ଧରି ଚିଲିକା ମଝିରେ ଫସିରହିଥିଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହେଲେ ଟୋଚନ ମାଧ୍ୟମରେ ଫସିଥିବା ଲଞ୍ଚକୁ କୂଳକୁ ଅଣାଯାଇଥିଲା।

ସୂଚନା ମୁତାବକ ଆଜି ସକାଳ ୮.୪୫ ମିନିଟରେ ଗୋଟିଏ ଲଞ୍ଚ କୃଷ୍ଣପ୍ରସାଦ ଗଡ଼ରୁ ୩୨ ଜଣ ଯାତ୍ରୀଙ୍କୁ ନେଇ ବାଲୁଗାଁ ଅଭିମୁଖେ ବାହାରିଥିଲା। ତେବେ ଗସ୍ତ ଆରମ୍ଭର ମାତ୍ର କିଛି ସମୟ ପରେ ଲଞ୍ଚରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ପାଣି ମଝିରେ ଫସିଯାଇଥିଲା ଲଞ୍ଚ।  ଏହାଦେଖି ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା।

ତେବେ ସହାୟତା ନିମନ୍ତେ ବାଲୁଗାଁ ସରକାରୀ ଲଞ୍ଚ କାର୍ଯ୍ୟାଳୟକୁ ଯୋଗାଯୋଗ କରାଯିବାରୁ ବାଲୁଗାଁରୁ ଅନ୍ୟ ଏକ ଲଞ୍ଚ ଘଟଣାସ୍ଥଳକୁ ଯାଇ ଟୋଚନ ମାଧ୍ୟମରେ ଫସିଥିବା ଲଞ୍ଚକୁ କୂଳକୁ ଆଣିଥିଲା। କିନ୍ତୁ ଲଞ୍ଚରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧିନଥିବାର ଦେଖାଯାଇଛି। ଯାହାଫଳରେ ଏକ ବଡ଼ ଦୁର୍ଘଟଣାରୁ ସମସ୍ତ ୩୨ ଜଣ ଯାତ୍ରୀ ବର୍ତ୍ତିଯାଇଥିବା କୁହାଯାଉଛି।

Related posts