
କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ରେଢାଖୋଲ ବନଖଣ୍ଡ ବ୍ରାହ୍ମଣୀ ଗ୍ରାମରେ ଜନୈକା ମହିଳାକୁ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ମହିଳା ଜଣଙ୍କ ହେଲେ ସୁମିତ୍ରା ଦେହୁରୀ (୫୫)।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବ୍ରାହ୍ମଣୀ ଗ୍ରାମର ସୁମିତ୍ରା ଦେହୁରୀ ନିଜ ସ୍ୱାମୀ ଇ-ଶ୍ରମକାର୍ଡ କରିବାକୁ ନିକଟସ୍ଥ ପଥୁରିଆ ଗ୍ରାମକୁ ଯାଇଥିଲେ। ରାତି ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ଫେରିନଥିବାରୁ ହାତରେ ଏକ ଟର୍ଚ୍ଚ ଧରିି ସୁମିତ୍ରା ଖୋଜିବା ବାହାରିଥିଲେ। ହେଲେ ସୁମିତ୍ରା ରାସ୍ତାରେ ଯାଉଥିବା ବେଳେ ଗ୍ରାମ ଠାରୁ କିଛି ଦୂରରେ ହାତୀ ପଲ ହାବୁଡରେ ପଡିଯାଇଥିଲେ। ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲେ।
ଘଟଣା ସ୍ଥଳରେ ହିଁ ସୁମିତ୍ରାର ମୃତ୍ୟୁ ହୋଇଥିବା ଜଣା ପଡିଥିଲା। ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନବିଭାଗର ରେଞ୍ଜ ଅଧୀକାରୀ ମୈତ୍ରୀ ମଂଜିତ ବିଶ୍ୱାଳ, ଫରେଷ୍ଟ ଗାର୍ଡ, ଫରେଷ୍ଟର ତଥା ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶବକୁ ଉଦ୍ଧାର କରିବା ସହ ରେଢାଖୋଲ ଡାକ୍ତର ଖାନାକୁ ପଠାଇଥିଲେ। ରେଢାଖୋଲ ଡାକ୍ତରଖାନାରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ମୃତକ ପରିବାରର ଅନ୍ତୈଷ୍ଟିକ୍ରିୟା ପାଇଁ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯାଇଥିବା ବେଳେ ପରେ ୪ ଲକ୍ଷ ଟଙ୍କା ମୃତକର ପରିବାରକୁ ପ୍ରଦାନ କରାଯିବ ବୋଲି ରେଢାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକ ପ୍ରକାଶ କରିଛନ୍ତି।