ଅନୁତାପ କରି ନିଜ କେଶ କାଟି ନଣ୍ଡା ହେଲେ ବିଜେପି ବିଧାୟକ, ଦଳ ଛାଡିବାକୁ ଦେଲେ ସଂକେତ

Published: Oct 6, 2021, 11:37 am IST

କୋଲକୋତା: ତ୍ରିପୁରାର ସୁରମା ନିର୍ବାଚନମଣ୍ଡଳୀର ବିଧାୟକ ଆଶିଷ ଦାସ ମଙ୍ଗଳବାର ଦିନ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଭୁଲ୍ ପାଇଁ ଅନୁତାପ କରି ଚୁଟି କାଟିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ନିକଟସ୍ଥ ପ୍ରସିଦ୍ଧ କାଳୀଘାଟ ମନ୍ଦିରରେ ବିଜେପି ବିଧାୟକଜଣଙ୍କ ଯଜ୍ଞ କରିଛନ୍ତି। ଏଥିସହ ସେ ଦଳ ଛାଡିବାକୁ ଘୋଷଣା କରିଛନ୍ତି।

ସେ ତ୍ରିପୁରାର ଶାସକ ବିଜେପିକୁ ରାଜ୍ୟରେ “ରାଜନୈତିକ ଅରାଜକତା”କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କାର୍ଯ୍ୟ’ଶୈଳୀ ତଥା ପ୍ରଦର୍ଶନକୁ ନେଇ ଲୋକମାନେ ଅସନ୍ତୁଷ୍ଟ, ତେଣୁ ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଶିଷ ଦାସ ଗତ ଦୁଇ ବର୍ଷ ଧରି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ ଏହା ପୂର୍ବରୁ ମମତା ବାନାର୍ଜୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ବାନାର୍ଜୀ ସବୁଠାରୁ ଯୋଗ୍ୟା। ତ୍ରିପୁରା ନିର୍ବାଚନକୁ ଦୃଷ୍ଟିରେ ରଖି ଦାସ ଖୁବ ଶୀଘ୍ର ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି। ୨୦୨୩ ମସିହା ପ୍ରାରମ୍ଭରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Related posts