ପାଞ୍ଚ ଯବାନଙ୍କ ଶହୀଦ ହେବାର ପ୍ରତିଶୋଧ: ୨୪ ଘଣ୍ଟାରେ ୫ ଆତଙ୍କବାଦୀଙ୍କୁ ସଫା କଲେ ସୁରକ୍ଷାବାହିନୀ

Published: Oct 12, 2021, 11:34 am IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପାଞ୍ଚ ଜଣ ଯବାନଙ୍କ ଶହୀଦ ହେବାର ପ୍ରତିଶୋଧ ନେଇଛି ସୁରକ୍ଷା ବାହିନୀ। ଆଜି ଏଠାରେ ଶୋପିଆନ୍ ଠାରେ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ସଫା କରିଛି। ଶୋପିଆନ୍ ଏନକାଉଣ୍ଟରରେ ନିହତ ହୋଇଥିବା ତିନି ଜଣ ଆତଙ୍କବାଦୀ ଲଶ୍କର-ଏ-ତୋଇବା (ଲେଟି) ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି। ବର୍ତ୍ତମାନ ଦୁଇଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଭଳି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ପୋଲିସ କହିଛି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

ସେହିଭଳି ଗତକାଲି ଅନନ୍ତନାଗ ଏବଂ ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳରେ ଖାଗୁଣ୍ଡକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବାରୁ ଏହି ଅପରେସନ୍ ଏକ ଏନକାଉଣ୍ଟରରେ ପରିଣତ ହୋଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଆତଙ୍କବାଦୀମାନେ ଉପତ୍ୟକାରେ ପୁଣି ସକ୍ରିୟ ହେଉଛନ୍ତି। ଗତ କିଛି ଦିନ ହେବ ଆତଙ୍କବାଦୀମାନେ କ୍ରମାଗତ ଭାବରେ ଉପତ୍ୟକାର ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି କିମ୍ବା ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଛନ୍ତି। ଗତକାଲି ଆତଙ୍କବାଦୀମାନେ ପୁଞ୍ଚର ସୋରେନକୋଟ ଲେଓସି ସଂଲଗ୍ନ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଅନୁପ୍ରବେଶ ବିଷୟରେ ଖବର ମିଳିବା ପରେ କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଜଣେ ଜେସିଓ ଏବଂ ସେନାର ୪ ଜଣ ସୈନିକ ଗୁରୁତର ଆହତ ହୋଇଥିଲେ। ଆହତ ସୈନିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଚିକିତ୍ସା ସମୟରେ ସେମାନେ ଶହୀଦ ହୋଇଯାଇଥିଲେ।

Related posts