ପ୍ରଖ୍ୟାତ ଗାନ୍ଧିବାଦୀ ତଥା ସମାଜସେବୀ ଡ.ଏସ୍.ଏନ ସୁବାରାଓଙ୍କର ପରଲୋକ

Published: Oct 27, 2021, 3:44 pm IST

ନୂଆଦିଲ୍ଲୀ: ପ୍ରଖ୍ୟାତ ଗାନ୍ଧିବାଦୀ ତଥା ସମାଜସେବୀ ଡ.ଏସ୍.ଏନ ସୁବାରାଓଙ୍କର ଆଜି ସକାଳେ ପରଲୋକ ଘଟିଛି। ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ସେ ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା।

ସୁବାରାଓ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ସାମିଲ ହୋଇ କାରାବରଣ କରିଥିଲେ। ପଣ୍ଡିତ ଜବାହାରଲାଲ ନେହେରୁ ଓ କାମରାଜଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ୧୯୫୪ରେ ସେ ପ୍ରଥମ ଦସ୍ୟୁ ପ୍ରଭାବିତ ଚମ୍ବଲର ଜୌରା ଗାଁରେ ଗାନ୍ଧୀ ଆଶ୍ରମର ଶିବିର ଚଳାଇଥିଲେ।

ଫଳରେ କୁଖ୍ୟାତ ଡକାୟତ ମୋହର ସିଂହ, ମାଧୋ ସିଂହଙ୍କ ସମେତ ୧୨ଜଣରୁ ଅଧିକ ଦସ୍ୟୁ ଆତ୍ମସର୍ପଣ କରିଥିଲେ। ଏହିପରି ଚମ୍ବଲ ଉପତ୍ୟକାର ଘନ ଜଙ୍ଗଲରେ ମୋଟ ୬୫୪ କୁଖ୍ୟାତ ଡକାୟତଙ୍କୁ ସମାଜର ମୁଖ୍ୟ ଧାରାରେ ସେ ସାମିଲ କରାଇ ଚର୍ଚ୍ଚାକୁ ଆସିଥିଲେ।

ରାଓଙ୍କର ଓଡିଶା ସହିତ ବେଶ୍ ଘନିଷ୍ଠ ସଂପର୍କ ରହିଥିଲା। ଓଡ଼ିଶା ତାଙ୍କର ଦ୍ଵିତୀୟ ଘର ବୋଲି ସେ ସର୍ବଦା କହି ଆସୁଥିଲେ। ସେ ସ୍ପଷ୍ଟ ଭାବେ ଓଡିଆରେ ମଧ୍ୟ କଥାବାର୍ତ୍ତି କରୁଥିଲେ। ସେ ସମସ୍ତଙ୍କ ନିକଟରେ ‘ଭାଇଜୀ’ ଭାବରେ ବେଶ ପରିଚିତ। ତାଙ୍କର ବିୟୋଗରେ ଦେଶ ତଥା ଓଡିଶାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Related posts