
ଭୁବନେଶ୍ବର: ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦ ସ୍ୱରୂପ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଦ୍ୱାରା ଆଜି ରାଜୀବ ଭବନ ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରୁ ବିଶାଳ ଶୋଭାଯାତ୍ରାରେ ଯାଇ ଏଡିଏମ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି ବିକ୍ଷୋଭରେ ମହିଳା ମାନେ ଉଜ୍ଜଳା ଗ୍ୟାସକୁ କୋକେଇରେ ବୋହି ସତ୍କାର କରିଥିଲେ। ଟ୍ରଲିରେ ମହିଳା କର୍ମକର୍ତ୍ତା ଗ୍ୟାସ ସିଲିଣ୍ଡରରେ RIP LPG GAS ଲେଖି ତାଉପରେ ଚୁଲି ରଖି ପ୍ରତିବାଦ କରିଥିଲେ।
ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସି କେନ୍ଦ୍ର ସରକାର ବିରୁଦ୍ଧରେ ଯୁବ ଛାତ୍ର ମହିଳା କର୍ମୀ ଅଭିଭାଷଣ ରଖିଥିଲେ। ୧୨.୩୦ ଘଟିକାରେ ଏଡିଏମ ବିକ୍ଷୋଭ ସ୍ଥଳକୁ ଆସି ସ୍ମାରକ ପତ୍ର ଗ୍ରହଣ କରିଥିଲେ।
ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ନେତୃତ୍ୱ ନେଇଥିଲେ ଏବଂ ସମସ୍ତ ପୂର୍ବତନ କର୍ପୋରେଟର, ବରିଷ୍ଠ କର୍ମି, ମହିଳା ଯୁବ ଛାତ୍ର ରାଜ୍ୟ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କ ସହିତ ୧୫୦୦ ରୁ ଉର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।