
ଭୁବନେଶ୍ବର: ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। କିନ୍ତୁ ଏହି ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପଞ୍ଚାୟତିରାଜ ବିଭାଗକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଏହି ବିଭାଗକୁ ସର୍ବାଧିକ ୩ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ତେବେ ସ୍ୱାସ୍ଥ୍ୟ ବିଭାଗକୁ ୨ ହଜାର ୩୧୦ କୋଟି ଟଙ୍କା ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଶକ୍ତି ବିଭାଗ ପାଇଁ ୨ ହଜାର ୧୪୩ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏହା ଭିତରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁଁ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଛି। ଆସନ୍ତାକାଲି ସକାଳ ୧୦ ଟା ୩୦ ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି।