Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିଏମ ଶ୍ରୀ ଯୋଜନାରେ ଓଡ଼ିଶାକୁ ଆସିବ ୮୦୦ଟି ସ୍କୁଲ ଏବଂ ମିଳିବ ୧୬୦୦ କୋଟି: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ତରଫରୁ ‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ପ୍ରସଙ୍ଗ ଉପରେ ଆୟୋଜିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ସହ ରାଜ୍ୟ ସରକାର ଓ ପଞ୍ଚାୟତ ସ୍ତରର ଜନପ୍ରତିନିଧି ମାନଙ୍କୁ ମୋଟ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଦେଶରେ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନରେ ଅର୍ଥ ବ୍ୟୟବରାଦ ପାଞ୍ଚ ଗୁଣା ବୃଦ୍ଧି ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତିରାଜ ସହ ସଂଶ୍ଲିଷ୍ଟ ଅନୁଷ୍ଠାନ ଗୁଡିକ ମଜଭୂତ୍ କରିବା ପାଇଁ ଏହି ଅର୍ଥ ଦିଆଯାଉଛି। କିନ୍ତୁ ରାଜ୍ୟ ସରକାର କନଭରଜେନ୍ସ ନାଁରେ ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଉଥିବା ଖବର ଆସୁଛି। ଓଡ଼ିଶାରେ ଅର୍ଥର ଅଭାବ ନ ଥିବା ବେଳେ ରାଜ୍ୟ ସରକାର ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଇବା ଅନୁଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଆସିବ ଏବଂ ୧୬୦୦ କୋଟି ଟଙ୍କା ମିଳିବ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରିନାହାନ୍ତି। ତେଣୁ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଜାତୀୟ ସ୍ତରରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

ତୃତୀୟତଃ ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ତଥ୍ୟରୁ ଜଣାପଡିଛି । ଏନଏଫଏଚଏସ ସର୍ଭେ ଅନୁଯାୟୀ, ଓଡ଼ିଶାର ୧୯% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ  ୩୧% ଶିଶୁ ପୁଷ୍ଟିହୀନର ଶୀକାର ଅଛନ୍ତି। ୧୮% ଉଚ୍ଚତା କମ୍ ଓ ୬୦%ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ। ୧୩ ବର୍ଷ ପରେ ଓଡ଼ିଶା ଭାଷାଭିତ୍ତିକରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ଓ ୨୫ ବର୍ଷ ପରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ନଦେଲେ ଓଡିଶା ସମୃଦ୍ଧଶାଳୀ ହେବ ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଶିଶୁ ଓ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ପାଇଁ ହେଉଥିବା ଯୋଜନାକୁ ସଠିକ୍ କ୍ରିୟାନ୍ୱୟନର ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହାବ୍ୟତିତ ଜିଲ୍ଲା ସ୍ତରରେ ସ୍କିଲ୍ ମ୍ୟାପିଂ କରିବାରେ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ଦେଶ ସ୍ୱାଧୀନତା ପର ଠାରୁ ଏବେ ୮୦ ପ୍ରତିଶତ ସାକ୍ଷର ଓ ୨୦ ପ୍ରତିଶତ ନିରକ୍ଷଣ ଅଛନ୍ତି। ଏହି ସମୟରେ ରାଜ୍ୟର ପଞ୍ଚାୟତ ସ୍ତରରେ ଥିବା ନିରକ୍ଷରଙ୍କୁ ସାକ୍ଷରତା କରିବା ପାଇଁ ପଡିବ। ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି) ପୂରଣ ହୋଇପାରିବ। ଓଡ଼ିଶାରେ ସ୍କୁଲରେ ପଢୁଥିବା ପିଲା ମାନଙ୍କ ସଂଖ୍ୟା ଶତପ୍ରତିଶତ। ମାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ଏହି ସଂଖ୍ୟା କ୍ରମାଗତ ହ୍ରାସ ପାଉଛି। ଛାତ୍ରଛାତ୍ରୀଙ୍କ ନାମଲେଖା ବଢାଇବା ତଥା ଡ୍ରପ ଆଉଟ କମାଇବା ପାଇଁ ଦାୟିତ୍ୱ ନେବାକୁ ହେବ। ଅନୁରୂପ ଭାବରେ ଛାତ୍ରଛାତ୍ରୀମାନେ କେବଳ ସ୍କୁଲ ଗଲେ ହେବ ନାହିଁ ବରଂ ପଞ୍ଚାୟତ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ମଧ୍ୟାହ୍ନ ଭୋଜନ ଦେଖିବା ଦିଗରେ ପଞ୍ଚାୟତ ସ୍ତରର ନେତୃତ୍ୱମାନେ ଅନୁଧ୍ୟାନ କରିବା ପାଇଁ ଅଭିଭାବକର ଦାୟିତ୍ୱ ନେବା ଦରକାର। ଚଳିତ କେନ୍ଦ୍ର ବଜେଟରେ ମିଶନ ଶକ୍ତିର ଭଉଣୀଙ୍କ ପାଇଁ କ୍ଲଷ୍ଟର ଯୋଜନା ହୋଇଛି। ରାଜ୍ୟ ସରକାର ଏଥିରେ ସହଯୋଗୀ ହେବା ତଥା ସେମାନଙ୍କୁ ଇ-ବଜାର ସହ ଯୋଡିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ମହିଳା ଓ ଶିଶୁଙ୍କ ସହ ଜଡିତ ଯୋଜନାରେ ମୋଦି ସରକାର ୧ ଲକ୍ଷ ୮୨ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଖାଦ୍ୟ ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୪୧, ୫୪୭ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫, ୪୩୩ କୋଟି, ସ୍ୱଚ୍ଛ ଭାରତ ଯୋଜନାରେ ୯,୨୬୨ କୋଟି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୪୮ କୋଟି, ମୁଦ୍ରା ଲୋନ ପାଇଁ ୩୧, ୦୦୦ କୋଟି, ଜନଧନ ଆକାଉଣ୍ଟର ହିତାଧିକାରୀଙ୍କୁ ୧,୨୫୮ କୋଟି, ପୋଷଣ ବା ଆଇସିଡିଏସ ଯୋଜନାରେ ୧୨,୯୨୦ କୋଟି, ଏନଆରଏଲଏମରେ ୧୩, ୪୦୦ କୋଟି, ପିଏମ ପୋଷଣରେ ୩,୯୯୫ କୋଟି, ବେଟି ବଚାଓ, ବେଟି ପଢାଓ ପାଇଁ ୩୭୫ କୋଟି, ସକ୍ଷମ ଅଙ୍ଗନବାଡିରେ ୭୫୪.୩୬ କୋଟି ସମେତ ଅନେକ ଯୋଜନାରେ ମୋଦି ସରକାରରେ ଲାଭାର୍ଥୀ ଶିଶୁ ଓ ମହିଳା ଅଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଭୂମି ପଞ୍ଚାୟତିରାଜ ସହ ଯୋଡି ହୋଇଅଛି। ଭାରତ ଗଣତନ୍ତ୍ରର ଜନନୀ। ମାତ୍ର ଏହି ଭୂମିରେ ହଜାର ବର୍ଷ ପୂର୍ବେ କଳିଙ୍ଗ ଯୁଦ୍ଧ ହୋଇଥିଲା। ସେ ସମୟରେ ଓଡ଼ିଆ ଲୋକଙ୍କର କେହି ରାଜା ନଥିଲେ ଅର୍ଥାତ୍ କଳିଙ୍ଗ ଯୁଦ୍ଧ ସମୟରୁ ହିଁ ଓଡ଼ିଶାରେ ଗଣତନ୍ତ୍ର ଓ ପଞ୍ଚାୟତିରାଜ ବ୍ୟବସ୍ଥା ବିଦ୍ୟମାନ। ଏହାବ୍ୟତିତ ମହିଳା ନେତୃତ୍ୱ ରାଜ୍ୟରେ ସ୍ୱଳ୍ପ ସମୟର ନୁହେଁ ବରଂ ଆମ ଓଡିଆ ପରମ୍ପରାରେ ପୂଜିତ ମା’ ମହାଲକ୍ଷ୍ମୀ ଏବଂ ସୁଭଦ୍ରା ଓଡ଼ିଆ ସଂସ୍କୃତି ଓ ନାରୀ ସଶକ୍ତିକରଣର ଉଦାହରଣ। ମାଆ ମହାଲକ୍ଷ୍ମୀ ସମାଜରେ ଛୁଆଁ ଅଛୁଆଁ ଭେଦଭାବକୁ ପରିସମାପ୍ତ କରିବାର ବାର୍ତ୍ତା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଶ୍ରୀବଳଭଦ୍ରଙ୍କ ସହ ଭଉଣୀ ମାଆ ସୁଭଦ୍ରା ବି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି। ସେହିପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ, ନନ୍ଦିନୀ ଶତପଥୀ ଏବଂ କୁନ୍ତଳା କୁମାରୀ ସାବତଙ୍କ ଅବଦାନ ବି ଅତୁଳନୀୟ।

ଗ୍ରାମାଞ୍ଚଳରେ ୭୦% ରୁ ଅଧିକ ଭାଗ ଲୋକ ବାସ କରୁଥିବା ବେଳେ ମହିଳାଙ୍କ ସଂଖ୍ୟା ଅଧିକ। ଗାଁରେ ରାସ୍ତା, ପାନୀୟ ଜଳ, ଘର, ବ୍ୟାଙ୍କ ଖାତା, ରୋଜଗାର ସମେତ ମୌଳିକ ବ୍ୟବସ୍ଥା ସୁଦୃଢ଼ ହେଲେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ସଶକ୍ତ ହେବ। ଚଳିତ ବଜେଟରେ ମହିଳାଙ୍କୁ ଉଦ୍ୟମୀ କରିବା ପାଇଁ ଅନେକ ଯୋଜନା କରାଯାଇଛି। ଯେ ପର୍ଯ୍ୟନ୍ତ ପଞ୍ଚାୟତିରାଜ ଦିଲ୍ଲୀରେ ହେଉଥିବା ଯୋଜନା ନବୁଝିବ ସେ କେବଳ ଯୋଜନାରେ ସୀମିତ ରହିବ। ମହିଳା ଓ ଶିଶୁଙ୍କ ବିକାଶ ତେବେ ସମ୍ଭବ ଯେବେ ଗ୍ରାମର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଏହି ଅବସରରେ ପଞ୍ଚାୟତିରାଜ ଓ ମହିଳା ଏବଂ ଶିଶୁ ବିକାଶ ସହ ଜଡ଼ିତ ବିଭିନ୍ନ ଡିଜିଟାଲ ପୁସ୍ତକର ଉନ୍ମୋଚନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ, ପଞ୍ଚାୟତିରାଜ ବିଭାଗକୁ ଅଧି ଗୁରୁତ୍ଵ

ଭୁବନେଶ୍ବର: ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। କିନ୍ତୁ ଏହି ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପଞ୍ଚାୟତିରାଜ ବିଭାଗକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଏହି ବିଭାଗକୁ ସର୍ବାଧିକ ୩ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ତେବେ ସ୍ୱାସ୍ଥ୍ୟ ବିଭାଗକୁ ୨ ହଜାର ୩୧୦ କୋଟି ଟଙ୍କା ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଶକ୍ତି ବିଭାଗ ପାଇଁ ୨ ହଜାର ୧୪୩ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏହା ଭିତରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁଁ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଛି। ଆସନ୍ତାକାଲି ସକାଳ ୧୦ ଟା ୩୦ ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପକ୍ରିୟା ଭିନ୍ନ ଧରଣର ହେବ, ଲୋକଙ୍କ ମତ ମାଗିଲେ ସରକାର

ଭୁବନେଶ୍ବର, ଏଥର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଭିନ୍ନ ଧରଣର ହେବ। ସେ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଲୋକଙ୍କର ମତ ମାଗିଛି। ଏହି ନୂଆ ପକ୍ରିୟା ଅନୁସାରେ ଗୋଟିଏ ଦିନରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସାରା ଓଡିଶାରେ କରାଯିବ। ସେଥିପାଇଁ ଗୋଟିଏ ତାରିଖ ଘୋଷଣା କରାଯିବ। ସେହି ଦିନ ରାଜ୍ୟର ସମସ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଭୋଟ ଗ୍ରହଣ ଦିନ ଭୋଟ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଏବଂ ଏଜେଣ୍ଟମାନଙ୍କ ଆଗରେ ଭୋଟ ବାକ୍ସରେ ଜଉ ମୁଦ କରାଯାଇ ବ୍ଲକ ହେଡ କ୍ବାଟରକୁ ପଠାଯିବ। ସେଠାରେ ଭୋଟ ବାକ୍ସକୁ ସୁରକ୍ଷିତ କରି ରଖାଯିବ। ଯେଉଁଦିନ ଭୋଟ ଗଣତି ପାଇଁ ତାରିଖ ଘୋଷଣା ହୋଇଥିବ ସେହି ଦିନ ତାହା ଖୋଲାଯିବ।

ଏଥିପାଇଁ ବିଧାନସଭା ଭୋଟ ଗଣତି ପରି ପଞ୍ଚାୟତ ଭୋଟ ଗଣତିରେ ମଧ୍ୟ ଗଣତି କାଉଣ୍ଟର କରାଯିବ। ସେହି ବ୍ଲକ ଅଧିନରେ ଯେତୋଟି ବୁଥ ଥିବ ସବୁ ଭୋଟ ବାକ୍ସ ବିଭିନ୍ନ କାଉଣ୍ଟରକୁ ନିଆଯିବ। ସେଠାରେ ସଂପୃକ୍ତ ଏଜେଣ୍ଟଙ୍କ ଉପସ୍ଥିତିରେ ଏହି ଭୋଟ ବାକ୍ସ ଖୋଲାଯାଇ ଗଣତି କରାଯିବ।

ତେବେ ପୂର୍ବରୁ ଯେଉଁଦିନ ଭୋଟ ଗ୍ରହଣ ହେଉଥିଲା ସେହିଦିନ ସେହି ବୁଥରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଉଥିଲା। ଫଳରେ ଏହାକୁ ନେଇ ନିର୍ବାଚନ ପ୍ରଭାବିତ ହେବାରେ ଲାଗିଲା। 2017 ମସିହାରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ଏହା ପରିଲକ୍ଷିତ ହେବାରୁ ସରକାର ଏଥିରେ ପରିବର୍ତ୍ତନ କରିବାକୁ ନିଷ୍ପତି ନେଉଛନ୍ତି।

ସାଧାରଣତଃ ପଞ୍ଚାୟତ ନିର୍ବାଚନ ବହୁ ପର୍ଯାୟରେ ଅନୁଷ୍ଟିତ ହୋଇଥାଏ। ଯେଉଁଦିନ ଭୋଟ ଗ୍ରହଣ ହୁଏ ସେହିଦିନ ସେହିଠାରେ ଭୋଟ ଗଣତି ହୁଏ। ଫଳରେ ପଞ୍ଚାୟତର ଫଳାଫଳ ଭୋଟ ଗ୍ରହଣ ଦିନ ଜଣାପଡିଯାଏ। ଏହା ଦ୍ବାରା ଏହାର ପ୍ରଭାବ ଅନ୍ୟ ପଞ୍ଚାୟତରେ ପଡୁଥିବାରୁ ସରକାର ଏଥିରେ ପରିବର୍ତ୍ତନ କରୁଛନ୍ତି। ଏ ନେଇ ସାଧାରଣ ଲୋକଙ୍କ ମତାମତ ମଗାଯାଇଛି। ସେମାନଙ୍କ ମତ ଆସିବା ପରେ ଏହାର ଗେଜେଟ ନୋଟିଫିକେସନ ବାହାରି କାର୍ଯ୍ୟକାରୀ କରାଯିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମୋହନା ବିଡ଼ିଓ ନିଲମ୍ବିତ: ଜବତ ହୋଇଥିବା କାଜୁକୁ କମ୍ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ

ହେମାଙ୍ଗ ପ୍ରସାଦ ରାଉଳ

ମୋହନା: ଗଞ୍ଜେଇ ସହ ଜବତ ହୋଇଥିବା କାଜୁକୁ ଚଞ୍ଚକତା କରି କମ ଟଙ୍କାରେ ବିକ୍ରି ସହ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ପଞ୍ଚାୟତିରାଜ ବିଭାଗ ମୋହନା ବିଡ଼ିଓ ବଂଶୀଧର ଖୋସ୍ଲାଙ୍କୁ ନିଲମ୍ବନ କରିଛି। ପତ୍ର ସଂଖ୍ୟା ୪୩୯୭/୩.୩.୨୦୨୧ ରେ ବିଭାଗ ନିଲମ୍ବନ ଆଦେଶ ଦେଇଛି।

ଏହି ଘଟଣାରେ ୬ ଜଣଙ୍କ ନାମରେ ଅଡବା ଥାନାରେ ମାମଲା ରୁଜୁ ହୋଇଛି। ଏଥି ସହ ଏହି ଘଟଣାରେ ଜଣେ ଏସଆଇ  ଆଲୋକ ଜଗଦଲାଙ୍କୁ ପୂର୍ବରୁ ନିଲମ୍ବନ କରିଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ। ଗଜପତି ଜିଲ୍ଲା ଅଡ଼ବା ଥାନା ମାଣ୍ଡିମେରା ନିକଟରେ ଗତ ଅଗଷ୍ଟ ୨୪ ତାରିଖରେ ଏକ କାଜୁ ବୋଝେଇ ଟ୍ରକ ସହ ୩ କୁଇଣ୍ଟାଲ ୪୪ କେଜି ଗଞ୍ଜେଇ ଜବତ ହୋଇଥିଲା। ୧୭ ଟନ ୮୧୪  କିଲୋ କାଜୁ ମଧ୍ୟ ଜବତ ହୋଇଥିଲା। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୨ ଜଣକୁ ଗିରଫ କରାଯାଇଥିଲା।

ତେବେ ଏଥିରେ ଚୋପା ଛଡା କାଜୁ ଜବତ ହୋଇଥିବା ବେଳେ ଚୋପା ଥିବା ଗୋଟା କାଜୁ ବୋଲି ଉଲ୍ଲେଖ କରି ମାତ୍ର ୧୪ ଲକ୍ଷ ଟଙ୍କାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିଡ଼ିଓ ବଂଶୀଧର ଖୋସ୍ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା ଓ ଥାନା ଅଧିକାରୀ ତପନ କୁମାର ପତିଙ୍କ ଉପସ୍ଥିତିରେ ବିକ୍ରି କରାଯାଇଛି ବୋଲି କୋର୍ଟକୁ ତଥ୍ୟ ପ୍ରଦାନ କରିଥିଲେ ତଦନ୍ତକାରୀ ଅଧିକାରୀ ଅଡବା ଥାନା ଏସଆଇ ଆଲୋକ ରଞ୍ଜନ ଜଗଦଲା।

ଏହି ତଥ୍ୟ ଉପରେ ପୁନଃ ତଦନ୍ତ ପାଇଁ ଗଜପତି ଏସପିଙ୍କୁ ନିର୍ଦ୍ଧେଶ ଦେଇଥିଲେ ମାନ୍ୟବର କୋର୍ଟ। ଗଜପତି ଏସପି ତପନ କୁମାର ପଟ୍ଟନାୟକ ଅତିରିକ୍ତ ଏସପି ସିତାରାମ ସତପଥୀଙ୍କୁ ଏହାର ତଦନ୍ତ ପାଇଁ ଗତ ନଭେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଏସପି ଅଡବା ଥାନାକୁ ଆସି ଏହାର ତଦନ୍ତ କରିଥିଲେ। ତଦନ୍ତ ପରେ ଏଥିରେ ବଡ ଧରଣର ଘୋଟାଲା ସାମନାକୁ ଆସିଥିଲା। ୧୭ଟନ ୮୧୪  କିଲୋ ଚୋପା ଛଡା କାଜୁ ଜବତ ହୋଇଥିବା ତଦନ୍ତରୁ ଜଣାପଡିଥିଲା କିନ୍ତୁ କୋର୍ଟକୁ ଚୋପା ଥିବା ଗୋଟା କାଜୁ ଜବତ ହୋଇଥିଲା ବୋଲି ମିଥ୍ୟା ତଥ୍ୟ ଦେଇଥିଲେ ଏସଆଇ ଆଲୋକ ଜଗଦଲା।

ଜବତ ହୋଇଥିବା  ୧୭ ଟନ ୮୧୪ କିଲୋ କାଜୁର ସରକାରୀ ମୂଲ୍ୟ ୬୭ ଲକ୍ଷରୁ ଅଧିକ ଟଙ୍କା ହେବା କଥା। କିନ୍ତୁ ଚଂଚକତା କରି ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଉଲ୍ଲେଖ କରାଯାଇଥିଲା। ଅତିରିକ୍ତ ଏସପି ଏହାର ତଦନ୍ତ ରିପୋର୍ଟ ଗତ ନଭେମ୍ବର ମାସ ୧୭ ତାରିଖରେ ଗଜପତି ଏସପିଙ୍କୁ ପ୍ରଦାନ କରିଥିଲେ।

ଏହା ପରେ ଅଡବା ଥାନା ଅଧିକାରୀ ତପନ କୁମାର ପତି, ବିଡ଼ିଓ ବଂଶୀଧର ଖୋସ୍ଲା, ଯୋଗାଣ ଅଧିକାରୀ ଶଙ୍କର ବେହେରା, ଏସଆଇ ଆଲୋକ ରଞ୍ଜନ ଜଗଦଲା, କାଜୁ ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ପଲାସାର କେ. ରବି କୁମାର ଓ ଟ୍ରକ ମାଲିକ ପଲାସାର ବି. ମୋହନ ରାଓ ଆଦି ୬ ଜଣଙ୍କ ନାମରେ ଏତଲା ଦେଇଥିଲେ ରା.ଉଦୟଗିରି ଏସ୍‌ଡ଼ିପିଓ ଦିଲ୍ଲିପ କୁମାର ନାୟକ।