ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ପକ୍ରିୟା ଭିନ୍ନ ଧରଣର ହେବ, ଲୋକଙ୍କ ମତ ମାଗିଲେ ସରକାର

Published: Aug 21, 2021, 8:47 am IST

ଭୁବନେଶ୍ବର, ଏଥର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଭିନ୍ନ ଧରଣର ହେବ। ସେ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଲୋକଙ୍କର ମତ ମାଗିଛି। ଏହି ନୂଆ ପକ୍ରିୟା ଅନୁସାରେ ଗୋଟିଏ ଦିନରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସାରା ଓଡିଶାରେ କରାଯିବ। ସେଥିପାଇଁ ଗୋଟିଏ ତାରିଖ ଘୋଷଣା କରାଯିବ। ସେହି ଦିନ ରାଜ୍ୟର ସମସ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

ଭୋଟ ଗ୍ରହଣ ଦିନ ଭୋଟ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଏବଂ ଏଜେଣ୍ଟମାନଙ୍କ ଆଗରେ ଭୋଟ ବାକ୍ସରେ ଜଉ ମୁଦ କରାଯାଇ ବ୍ଲକ ହେଡ କ୍ବାଟରକୁ ପଠାଯିବ। ସେଠାରେ ଭୋଟ ବାକ୍ସକୁ ସୁରକ୍ଷିତ କରି ରଖାଯିବ। ଯେଉଁଦିନ ଭୋଟ ଗଣତି ପାଇଁ ତାରିଖ ଘୋଷଣା ହୋଇଥିବ ସେହି ଦିନ ତାହା ଖୋଲାଯିବ।

ଏଥିପାଇଁ ବିଧାନସଭା ଭୋଟ ଗଣତି ପରି ପଞ୍ଚାୟତ ଭୋଟ ଗଣତିରେ ମଧ୍ୟ ଗଣତି କାଉଣ୍ଟର କରାଯିବ। ସେହି ବ୍ଲକ ଅଧିନରେ ଯେତୋଟି ବୁଥ ଥିବ ସବୁ ଭୋଟ ବାକ୍ସ ବିଭିନ୍ନ କାଉଣ୍ଟରକୁ ନିଆଯିବ। ସେଠାରେ ସଂପୃକ୍ତ ଏଜେଣ୍ଟଙ୍କ ଉପସ୍ଥିତିରେ ଏହି ଭୋଟ ବାକ୍ସ ଖୋଲାଯାଇ ଗଣତି କରାଯିବ।

ତେବେ ପୂର୍ବରୁ ଯେଉଁଦିନ ଭୋଟ ଗ୍ରହଣ ହେଉଥିଲା ସେହିଦିନ ସେହି ବୁଥରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯାଉଥିଲା। ଫଳରେ ଏହାକୁ ନେଇ ନିର୍ବାଚନ ପ୍ରଭାବିତ ହେବାରେ ଲାଗିଲା। 2017 ମସିହାରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ଏହା ପରିଲକ୍ଷିତ ହେବାରୁ ସରକାର ଏଥିରେ ପରିବର୍ତ୍ତନ କରିବାକୁ ନିଷ୍ପତି ନେଉଛନ୍ତି।

ସାଧାରଣତଃ ପଞ୍ଚାୟତ ନିର୍ବାଚନ ବହୁ ପର୍ଯାୟରେ ଅନୁଷ୍ଟିତ ହୋଇଥାଏ। ଯେଉଁଦିନ ଭୋଟ ଗ୍ରହଣ ହୁଏ ସେହିଦିନ ସେହିଠାରେ ଭୋଟ ଗଣତି ହୁଏ। ଫଳରେ ପଞ୍ଚାୟତର ଫଳାଫଳ ଭୋଟ ଗ୍ରହଣ ଦିନ ଜଣାପଡିଯାଏ। ଏହା ଦ୍ବାରା ଏହାର ପ୍ରଭାବ ଅନ୍ୟ ପଞ୍ଚାୟତରେ ପଡୁଥିବାରୁ ସରକାର ଏଥିରେ ପରିବର୍ତ୍ତନ କରୁଛନ୍ତି। ଏ ନେଇ ସାଧାରଣ ଲୋକଙ୍କ ମତାମତ ମଗାଯାଇଛି। ସେମାନଙ୍କ ମତ ଆସିବା ପରେ ଏହାର ଗେଜେଟ ନୋଟିଫିକେସନ ବାହାରି କାର୍ଯ୍ୟକାରୀ କରାଯିବ।

Related posts