ଦିଲ୍ଲୀରେ ଓମିକ୍ରନର ୧୦ ଟି ନୂଆ ମାମଲା, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ କୁ ବୃଦ୍ଧି

Published: Dec 17, 2021, 12:42 pm IST

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ଆଜି ଜାତୀୟ ରାଜଧାନୀରେ ଓମିକ୍ରନର ୧୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହା ପରେ ଏଠାରେ କରୋନାର ଏହି ଭାରିଆଣ୍ଟରେ ସଂକ୍ରମିତ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି। ଜୈନ କହିଛନ୍ତି ଯେ, “ଦିଲ୍ଲୀରେ ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟର ୨୦ଟି ମାମଲା ରହିଛି। ୨୦ଟି ମଧ୍ୟରୁ ୧୦ ଜଣ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଛନ୍ତି ଏବଂ ୧୦ ଜଣ ଲୋକନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସିତ ହେଉଥିବା ଲୋକେ ଗୁରୁତର ନଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ନୂତନ ସଂକ୍ରମଣ ନିଶ୍ଚିତ ହେବା ପରେ ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୯୯ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ୩୨ ଟି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୧୭ ଟି ମାମଲା, ଦିଲ୍ଲୀରେ ୨୦, କେରଳରେ ୫, ଗୁଜୁରାଟରେ ୫, କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୮, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଚଣ୍ଡିଗଡ଼ରେ ୧ ଟି ଲେଖାଏଁ ମାମଲା ରିପୋର୍ଟ ଆସିଛି।

ଓମିକ୍ରନର ବିପଦ ଦିନକୁ ଦିନ ଦ୍ୱିଗୁଣିତ ହେବାରେ ଲାଗିଛି। ଏହି ବିପଦକୁ ଦୃଷ୍ଟିରେ ରଖି ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ପରିସ୍ଥିତିର ସମୀକ୍ଷା କରିଛନ୍ତି। ମହାରାଷ୍ଟ୍ର ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଓମିକ୍ରୋନକୁ ନିୟନ୍ତ୍ରଣ କରିବା ପାଇଁ କଠୋର ପ୍ରତିବନ୍ଧକ ଲଗାଯାଉଛି। ଡିସେମ୍ବର ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ମୁମ୍ବାଇରେ ଧାରା ୧୪୪ ଲାଗୁ କରାଯାଇଛି। ସୀମାରେ ପୋଲିସର ଅବରୋଧ କଡାକଡି ହୋଇଛି।

Related posts