ବାଣପୁର: ବାଇପାସରେ ବସକୁ ଧକ୍କା ଦେଲା ଟ୍ରକ୍, ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ

Published: Dec 23, 2021, 8:54 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ଗାଡ଼ି ଚାଳକଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି।

ଖବର ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ‘ଗାନ୍ଧୀ’ ନାମକ ଏକ ବସ ବାଣପୁର-ବାଲୁଗାଁ ବାଇପାସ ଠାରେ ଯାତ୍ରୀଙ୍କୁ ନେବାପାଇଁ ଅଟକିଥିଲା। ତେବେ ବାଣପୁର ଥାନା ଦୀକ୍ଷିତପଡା ଗ୍ରାମର ବୋଲେରୋ ଚାଳକ ସିଦ୍ଧାନ୍ତ ରଣସିଂହ କିଛି ଯାତ୍ରୀଙ୍କୁ ବୋଲେରୋରେ ନେଇ ଉକ୍ତ ବସରେ ଛାଡିବାକୁ ଯାଇଥିଲେ। ଠିକ ସେହି ସମୟରେ ହଠାତ ପଛପଟୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ବ୍ରହ୍ମପୁର ଯାଉଥିବା ଏକ କ୍ଷୀର ବୋଝେଇ ଅଶୋକ ଲେଲ୍ୟାଣ୍ଡ ଗାଡ଼ିଟି ‘ଗାନ୍ଧୀ’ ବସକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବସ ପାର୍ଶ୍ୱରେ ଠିଆ ହୋଇଥିବା ବୋଲେରୋ ଚାଳକ ସିଦ୍ଧାନ୍ତଙ୍କୁ ବସଟି କିଛି ବାଟ ଭିଡି ନେଇଯାଇଥିଲା। ଫଳରେ ସିଦ୍ଧାନ୍ତଙ୍କ ବାମ ଗୋଡ଼ ଏବଂ ବାମ ହାତଟି ନଷ୍ଟ ହୋଇଯାଇଥିବାର ଜଣାପଡିଛି।

ସଙ୍ଗେସଙ୍ଗେ ସ୍ଥାନୀୟ ଜନସାଧାରଣ ସିଦ୍ଧାନ୍ତଙ୍କୁ ଗୁରୁତର ଭାବେ ବାଲୁଗାଁ ମେଡିକାଲରେ ନେଇଥିବା ବେଳେ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି। ଖବର ପାଇ ଦୁର୍ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Related posts