ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ, ଆଲୋଚନା ପରେ ସ୍ଥଗିତ ହେଲା ଆନ୍ଦୋଳନ

Published: Dec 23, 2021, 6:47 pm IST

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ କର୍ମଚାରୀ ମାରଣନୀତି ଜାରି ରଖିଛନ୍ତି। ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନାହାଁନ୍ତି। ଯାହାଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା ହେଉନାହିଁ। ଶିକ୍ଷା ଅଧିକାର ଆଇନ, ୨୦୧୦କୁ ଆମ ରାଜ୍ୟରେ ଆଦୌ କାର୍ଯ୍ୟକାରୀ କରୁନାହାଁନ୍ତି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୮୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ଶିକ୍ଷକ ପଦବୀ ପୂରଣ କରୁନାହାଁନ୍ତି।

ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକ, ଗ୍ରାଜୁଏଟ ଶିକ୍ଷକ, ଲେବୁଲ୍‌-ଭି(ବି) ପଦବୀ ବହୁ ସଂଖ୍ୟାରେ ଖାଲି ପଡ଼ିଥିଲେ ମଧ୍ୟ ସରକାର ପଦୋନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ରାଜ୍ୟର ସମସ୍ତ ଠିକା କର୍ମଚାରୀମାନଙ୍କୁ ଇନ୍‌ସିଆଲ ଆପଏଣ୍ଟିଜ୍ ଘୋଷଣା କରି ସେମାନଙ୍କ ଦରମା ବୃଦ୍ଧି କରିଥିଲେ ମଧ୍ୟ କନିଷ୍ଠ ଶିକ୍ଷକମାନଙ୍କୁ ଏଥିରୁ ବାଦ୍ ଦେଇଛନ୍ତି। ୮ ବର୍ଷ ଧରି କନିଷ୍ଠ ଶିକ୍ଷକମାନଙ୍କର ଏକଟଙ୍କା ବୃଦ୍ଧି କରିନାହାଁନ୍ତି। ୬ ବର୍ଷ କାଳ କନିଷ୍ଠ ଶିକ୍ଷକମାନଙ୍କୁ କମ୍ ଦରମା ଦେଇ ନିୟମିତ କରିବା ପରେ ମଧ୍ୟ ନିୟମିତ ଶିକ୍ଷକମାନଙ୍କୁ ଅଣଦେଖା କରୁଛନ୍ତି।

ଆମ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ୪୨୦୦ ଟଙ୍କା ଗ୍ରେଡ୍ ପେ ଦେଇ ସପ୍ତମ ବେତନ ସଂଶୋଧନ କରିଥିବା ବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କ ଦରମା ସପ୍ତମ ବେତନ କମିଶନରେ ମାତ୍ର ୨୨୦୦ ଟଙ୍କା ଗ୍ରେଡ଼ ପେ ଦେଇ ସଂଶୋଧନ କରାଯାଇଛି ଯାହାକି ସମସ୍ତ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କ ଦରମା ଠାରୁ ଆମ ରାଜ୍ୟର ଶିକ୍ଷକମାନେ କମ୍ ଦରମା ପାଉଛନ୍ତି। ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି। ଶିକ୍ଷା ଅଧିକାର ଆଇନ୍ ଅଧିନିୟମ ୧୮(୨)ଗରେ ସମସ୍ତ ଶିକ୍ଷକମାନଙ୍କୁ ପେନସନ, ଗ୍ରାଚୁଇଟି, ମେଡ଼ିକାଲ ଭତ୍ତା, ଭବିଷ୍ୟତନିଧି ପାଣ୍ଠି, ଡ଼ାକ୍ତରୀ ସୁବିଧା, ସ୍ୱାସ୍ଥ୍ୟବୀମା ଓ ଅବସରକାଳୀନ ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଆଇନ କରିଥିବା ବେଳେ ତାହାକୁ ନିଜେ ଉଲଂଘନ କରୁଛନ୍ତି। ଶିକ୍ଷକ କର୍ମଚାରୀମାନେ ୩୦ରୁ ୩୫ ବର୍ଷ କାର୍ଯ୍ୟ କରିସାରିବା ପରେ ସେମାନଙ୍କୁ ଖାଲି ହାତରେ ଅବସର ନେବାକୁ ପଡୁଛି। ଶିକ୍ଷକ କର୍ମଚାରୀମାନଙ୍କୁ କୌଣସି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ।

ଜଗତୀକରଣ ଉଦାରୀକରଣ ଅର୍ଥନୀତି ଚାପରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ମସିହା ଠାରୁ ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ସେଥିରେ ବିଶେଷକିଛି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ। ଜଣେ ଶିକ୍ଷକ ଅବସର ନେବା ପରେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି। ଯାହାଦ୍ୱାରା ସେମାନେ ଶିକ୍ଷକମାନେ ଅବସରର ଅବଶିଷ୍ଟ ଜୀବନକାଳ ଓ ସେମାନଙ୍କ ପରିବାରକୁ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି । ନିୟମ ଯଦି ସମସ୍ତଙ୍କ ପାଇଁ ସମାନ ଲାଗୁ କରାଯାଇଛି, ତେବେ ପୁରୁଣା ପେନସନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଉଚ୍ଛେଦ କରିଥିଲେ ମଧ୍ୟ ମାତ୍ର ୫ ବର୍ଷ କାର୍ଯ୍ୟ କରିସାରିଲା ପରେ ମାନ୍ୟବର ବିଧାୟକ ଓ ସାଂସଦମାନଙ୍କୁ କାହିଁକି ପୁରୁଣା ପେନସନ ଦିଆଯାଉଛି ବୋଲି ସଂଘ ଅଭିଯୋଗ କରିଛି। ଯେଉଁମାନେ ଦେଶ ଓ ରାଜ୍ୟ ପାଇଁ ଆଇନ୍ ତିଆରି କରୁଛନ୍ତି, ସେମାନେ ଆଇନ୍ ଭାଙ୍ଗୁଛନ୍ତି ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଅଭିଯୋଗ କରିଛନ୍ତି। ରାଜ୍ୟରେ ସମସ୍ତଙ୍କ ପାଇଁ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରୁଥିବା ବେଳେ ସରକାର ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରୁ ବଞ୍ôଚତ କରୁଛନ୍ତି।

ତେଣୁ ସରକାର ଶିକ୍ଷକ କର୍ମଚାରୀମାନଙ୍କୁ ତୁରନ୍ତ ପୁରୁଣା ପେନସନ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ଆଦର୍ଶ ଶିକ୍ଷକମାନଙ୍କ ଦରମା ଭଳି ଆମ ରାଜ୍ୟର ଶିକ୍ଷକମାନଙ୍କୁ ଦରମା ପ୍ରଦାନ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ୍ କରିବା, କନିଷ୍ଠ ଶିକ୍ଷକମାନଙ୍କ ସର୍ବନିମ୍ନ ୧୬୦୦୦କୁ ବୃଦ୍ଧି କରିବା, ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା, ଶିକ୍ଷକମାନଙ୍କ ବଦଳି ନୀତିକୁ କୋହଳ କରିବା, ସିଟି କରିଥିବା ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକମାନଙ୍କୁ ବିଇଡ଼ି କିରବାର ସୁଯୋଗ ଦେବା ଓ ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଆଦି ନ୍ୟାୟୋଚିତ ଦାବିକୁ ସରକାର ତୁରନ୍ତ ମାନିବାକୁ ସଂଘ ଦାବି କରିଛି।

ସରକାର ଯଦି ଦାବିଗୁଡ଼ିକୁ ତୁରନ୍ତ ପୂରଣ ନକରନ୍ତି, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସରକାର ତାହାର ଫଳ ଭୋଗିବାକୁ ପଡ଼ିବ ବୋଲି ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭ ସଭାରେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ଓଲଷ୍ଟାର ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ଓଷ୍ଟା ଶିକ୍ଷା ପ୍ରଦୀପ ସମ୍ପାଦକ ଶଙ୍କର ସୁବୁଦ୍ଧି, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ପସନ୍ନ କୁମାର ଜେନା, କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ଟୁଲୁ ଦେଇ, ସୁଦାମ ଦଳବରା, ସବୀରଅଲ୍ଲୀ ଖାନ, କେଶବ ଚନ୍ଦ୍ର କର, ନରେଶ ଚନ୍ଦ୍ର ପାତ୍ର, ସୁଶିଲ କୁମାର ସେଠୀ, ଜିତେନ୍ଦ୍ର କୁମର ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ଶେଷରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏକ ଛଅଜଣିଆ ପ୍ରତିନିଧି ଦଳ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସହ ଆଲୋଚନା କରିଥିଲେ। ସରକାର ଏହିଦାବି ପ୍ରତି ସମ୍ବେଦନଶୀଳ ଓ ଦାବିଗୁଡ଼ିକ ବିଚାର ବିମର୍ଷ କରି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇଲା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା

Related posts