ଜାଣିଛନ୍ତି କି, ଆଜି ହେଉଛ ବକୁଳ ଅମବାସ୍ୟା, ଶ୍ରୀମନ୍ଦିରରେ ହେବ ଗଇଁଠା ଭୋଗ

Published: Jan 2, 2022, 5:57 am IST

ଭୁବନେଶ୍ବର: ଆଜି ହେଉଛି ବକୁଳ ଅମବାସ୍ୟା। ପୌଷମାସର ଅମବାସ୍ୟା ତିଥିକୁ ବକୁଳ ଅମବାସ୍ୟା ଭାବେ ପାଳିତ ହୋଇଥାଏ। ମୁଖ୍ୟତଃ ଏହି ସମୟରେ ଆମ୍ବଗଛରେ ବଉଳ ଧରେ। ସେଥିପାଇଁ ଆମ୍ବ ବଗିଚାରେ ଏହି ପୂଜା ବିଧି ରହିଛି। ଏଥିରେ ପହଁରା କାଠିରେ ଗଇଁଠା ଲଗାଇ ପୂଜା କରାଯାଇଥାଏ।

ଗଇଁଠା ହେଉଛି ଚାଉଳ ଚୂନାରେ ପ୍ରସ୍ତୁତି ଏକ ପ୍ରକାରର ଗୋଟାଳି ପରି ଖାଦ୍ୟ ପଦାର୍ଥ। ଯାହା ରସଗୋଲା ପରି ଗୋଲଗୋଲ ଦେଖାଯାଇଥାଏ। ଏହାକୁ ପକାଇ ଗଇଁଠା ଖିରୀ ମଧ୍ୟ ପ୍ରସ୍ତୁତ କରାଯାଇ ପୂଜା କରାଯାଇଥାଏ। ତେବେ ଏହି ଦିନ ଶ୍ରୀମନ୍ଦିରରେ ମଧ୍ୟ ବିଶେଷ ନୀତି ପାଳିତ ହୋଇଥାଏ। ଏହିଦିନ ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କ ନିକଟରେ ଗଇଁଠା ପ୍ରସ୍ତୁତ ହୋଇ ପୂଜା କରାଯାଇଥାଏ।

ଏହି ପୂଜା ପରେ ଶ୍ରୀନାରାୟଣଙ୍କ ନିକଟକୁ ଆଜ୍ଞାମାଳ ଅସେ। ଏହି ଆଜ୍ଞାମାଳ ପାଇ ଶ୍ରୀନାରାୟଣ ପାଲିଙ୍କିରେ ବିଜେକରି ସାଗର ବିଜେ କରନ୍ତି।  ସେ ସିଂହ ଦ୍ୱାର ଦେଇ ସମୁଦ୍ରକୂଳ ସ୍ୱର୍ଗଦ୍ୱାରକୁ ବିଜେ କଲା ପରେ ସେଠାରେ ଠାକୁରଙ୍କୁ ଜଳଲାଗି କରାଯାଏ। ଏହି ପରମ୍ପରାକୁ ‘ସାଗରବିଜେ’ ନୀତି କୁହାଯାଇଥାଏ।

Related posts