କୁହୁଡି: କୟଥପଲା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ

Published: Jan 31, 2022, 9:21 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କୁହୁଡି ହେଲା କାଳ। ଜାତୀୟ ରାଜପଥରେ ସ୍ପଷ୍ଟ ଦେଖା ନଯିବାରୁ ଘଟିଲା ଦୁର୍ଘଟଣା ଯେଉଁଥିରେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଛକ ନିକଟରେ ଆଜି ସକାଳୁ ଯୋଡ଼ାରୁ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକଟି ବ୍ରେକ ଡ଼ାଉନ ଲାଗି ଛିଡା ହୋଇଥିଲା।

ତେବେ କିଛି ସମୟ ପରେ ଆଉ ଏକ ଆଇରନ ବୋଝେଇ ଟ୍ରକଟି ପୂର୍ବରୁ ଛିଡା ହୋଉଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଏବଂ ହେଲ୍ପର ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଘନ କୁହୁଡି ଯୋଗୁଁ ଉକ୍ତ ଦୁର୍ଘଟଣା ହୋଇଥିବାର ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ କହିଛନ୍ତି। ଅନୁରୂପ ଭାବେ ମୃତ ଗାଡ଼ି ଚାଳକ ଏବଂ ହେଲ୍ପର କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ଅଞ୍ଚଳର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି।

ମୃତକ ଦ୍ବୟ ହେଲେ ମୁନା ଜେନା(୨୫) ଏବଂ ବାବୁ ଜେନା(୫୦ )। ପୋଲିସ ଉଭୟ ଗାଡ଼ି ଜବତ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସୂଚନା ଦେଇଛି ଏବଂ ମୃତ ଶରୀର ଦ୍ବୟକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇ ତଦନ୍ତ ଜାରି ରଖିଛି।

Related posts