ତଥ୍ୟ ଲୁଚାଇବା ନେଇ ପ୍ରତିରକ୍ଷା ସଚିବ ଏବଂ ପୋଲିସ ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

Published: Apr 24, 2019, 6:04 pm IST

ଶ୍ରୀଲଙ୍କାର କଲୋମ୍ବୋରେ ଗତ ରବିବାର ଦିନ ଘଟି ଯାଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରିପାଲା ସିରିସେନା ଦେଶର ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ଶୀର୍ଷ ଅଧିକାରୀଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେ ଶ୍ରୀଲଙ୍କାର ପୁଲିସ ବିଭାଗର ମୁଖ୍ୟ ଓ ପ୍ରତିରକ୍ଷା ସଚିବଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ ସୂତ୍ରରୁ ପ୍ରକାଶ ଏହି ଦୁଇ ଅଧିକାରୀ ବିଦେଶୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ଆକ୍ରମଣ ସଂପର୍କିତ ସୂଚନାକୁ ରାଷ୍ଟ୍ରପତି ସିରିସେନାଙ୍କୁ ଜଣାଇ ନ ଥିଲେ। ଏଥିସହ ରାଷ୍ଟ୍ରପତି ଶ୍ରୀଲଙ୍କାର ପୁଲିସ ଓ ସେନାର ଶୀର୍ଷ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରିବେ ବୋଲି ସୂଚନା ମିଳିଛି।
ଅନ୍ୟ ପକ୍ଷରେ ଗତ ରବିବାର ଦିନ ଘଟି ଯାଇଥିବା ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ସର୍ବମୋଟ ୯ ଜଣ ଆତଙ୍କବାଦୀ ସାମିଲ ଥିଲେ। ଆଉ ଏଇ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ରହିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୫୯ ଜଣଙ୍କର ମୁତ୍ୟୁ ଘଟି ସାରିଥିବା ବେଳେ ୬୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ଏହି ଆତ୍ମଘାତୀ ବିସ୍ଫୋରଣ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ଏସ୍‌ ଘଟାଇଛି ବୋଲି ଦାବୀ କରୁଥିବା ବେଳେ ଶ୍ରୀଲଙ୍କାର ପୁଲିସ୍‌ ପ୍ରବକ୍ତା ରୁଓ୍ଵାନ ଗୁଣଶେଖର କହିଛନ୍ତି ଯେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆମେ  ୫୮ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛୁ; ତଦନ୍ତ ପରେ ହିଁ ଯାହା କିଛି ସ୍ପଷ୍ଟ ହେବ।

 

Related posts