
ଶୁକ୍ରବାର ଆଇସିସି ପକ୍ଷରୁ ୨୨ ଜଣିଆ ଅମ୍ପାୟାର ଏବଂ ମ୍ୟାଚ୍ ରେଫରୀଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବରେ ଅମ୍ପାୟାର ଏସ୍ ରବି ସ୍ଥାନ ପାଇଛନ୍ତି। ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣ ଅମ୍ପାୟାର ନିଯୁକ୍ତ କରା ଯାଇଥିବା ବେଳେ ୬ ଜଣ ମ୍ୟାଚ୍ ରେଫରୀ ନିଯୁକ୍ତ କରାଯାଇଛି। ନିକଟରେ ନିଜର ଏକ ଖରାପ ନିଷ୍ପତ୍ତି ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ରବିଙ୍କୁ ସମାଲୋଚନା କରିଥିଲେ। ବେଙ୍ଗାଲୁରୁ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଏକ ନୋ ବଲ୍ ଦେଖି ପାରିନଥିଲେ ରବି। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ଟି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ରେଫରୀଙ୍କ ମଧ୍ୟରେ ରଞ୍ଜନ ମୁଦୁଗଲେଙ୍କ ଏହା ଷଷ୍ଠ ବିଶ୍ବକପ୍ ହୋଇଥିବା ବେଳେ କ୍ରିସ୍ ବ୍ରଡ୍ ଏବଂ ମାର୍ଟିନ୍ କ୍ରୋଙ୍କ ଏହା ଚତୁର୍ଥ ବିଶ୍ବକପ୍। ସେହିପରି ଅମ୍ପାୟାରଙ୍କ ମଧ୍ୟରେ ଅଲିମ୍ ଦରଙ୍କ ଏହା ପଞ୍ଚମ ବିଶ୍ବକପ୍ ହୋଇଥିବା ବେଳେ ଇଆନ୍ ଗୁଲ୍ଡଙ୍କ ଏହା ଚତୁର୍ଥ ତଥା ଅନ୍ତିମ ବିଶ୍ବକପ୍ ହେବ।