ପ୍ରଜ୍ଞା ମାସୁଦ୍‌ ଆଝାରକୁ ଅଭିଶାପ ଦେଇଥିଲେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଆବଶ୍ୟକ ପଡିନଥାନ୍ତା : ଦିଗ୍‌ବିଜୟ

Published: Apr 28, 2019, 10:00 am IST
digvijay slams pragya

ଏଟିଏସ୍‌ ମୁଖ୍ୟ ହେମନ୍ତ କାର୍କାରେଙ୍କୁ ନେଇ ସାଧ୍ବୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନର ଏକ ସପ୍ତାହ ପରେ ପୁନର୍ବାର ତାଙ୍କୁ ଆକ୍ରମଣ କରିଛନ୍ତି କଂଗ୍ରେସ ନେତା ଦିଗ୍‌ବିଜୟ ସିଂ। ଯଦି ପ୍ରଜ୍ଞା ମାସୁଦ୍‌ ଆଝାରକୁ ଅଭିଶାପ ଦେଇଥାନ୍ତେ ତେବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର କୌଣସି ଆବଶ୍ୟକତା ପଡିନଥାନ୍ତା ବୋଲି ଦିଗ୍‌ବିଜୟ କହିଛନ୍ତି। ଦିଗ୍‌ବିଜୟ କହିଛନ୍ତି, ପ୍ରଜ୍ଞା କାର୍କାରେଙ୍କୁ ଅଭିଶାପ ଦେବା ପରି ଯଦି ମାସୁଦ୍‌ ଆଝାରକୁ ଅଭିଶାପ ଦେଇଥାନ୍ତେ ତେବେ ଭାରତ ଏହାର ଅନେକ ଯବାନଙ୍କୁ ହରାଇନଥାନ୍ତା ଏବଂ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ମଧ୍ୟ କୌଣସି ଆବଶ୍ୟକତା ପଡିନଥାନ୍ତା। ଭୋପାଳରେ ଏକ ନିର୍ବାଚନୀ ରାଲି ଅବସରରେ ସାଧ୍ବୀଙ୍କୁ ସମାଲୋଚନା କରିଛନ୍ତି ଦିଗ୍‌ବିଜୟ। ସେହିପରି ଅଶୋକା ଗାର୍ଡେନ୍‌ରେ ଦିଗ୍‌ବିଜୟ କହିଛନ୍ତି, ବିଜେପି ହର ହର ମହାଦେବ ବଦଳରେ ହର ହର ମୋଦି କହି ଦେଶବାସୀଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଛି। ବିଜେପି ସର୍ବଦା ସାମ୍ପ୍ରଦାୟିକତା ଭୋଟ ବ୍ୟାଙ୍କ ଉପରେ ଗୁରୁତ୍ବ ଦେଉଛି ଯାହାକି ଗଣତନ୍ତ୍ର ପାଇଁ ଅଶୁଭ ସଙ୍କେତ। ସେ କହିଥିଲେ ଦେଶକୁ ୫୦୦ ବର୍ଷ କାଳ ମୁସଲମାନ ମାନେ ଶାସନ କରିଛନ୍ତି ମାତ୍ର କୌଣସି ଧର୍ମ କ୍ଷତିଗ୍ରସ୍ତ ହୋଇନାହିଁ। ସାମ୍ପ୍ରଦାୟିକ ରାଜନୀତି କରୁଥିବା ରାଜନୈତିକ ଦଳଠାରୁ ଜନତା ସତର୍କ ରହିବା ଆବଶ୍ୟକ ବୋଲି ଦିଗ୍‌ବିଜୟ କହିଛନ୍ତି। ସୂଚନାଯୋଗ୍ୟ ଯେ, ଦିଗ୍‌ବିଜୟ ପ୍ରଜ୍ଞାଙ୍କ ବିରୋଧରେ ଭୋପାଳ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ମେ ୧୨ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବ।

Related posts