ସାରା ଦେଶରେ ନିର୍ବାଚନୀର ତାତି। ୪ଟି ପର୍ଯ୍ୟାୟ ସରିଥିବାବେଳେ ଆଉ ତିନୋଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି। ନିର୍ବାଚନର ଗରମ୍ ହାଓ୍ବା ଚାଲିଥିବାବେଳେ ଏଠି ପୁଣି ଉଡିବୁଲୁଛି ଆରୋପ-ପ୍ରତ୍ୟାରୋପର ଫର୍ଦ୍ଦ। ରାଜନୀତିର ଦୁଇ ପ୍ରମୁଖ ଦଳ ଏନ୍ଡିଏ ଓ ୟୁପିଏ ମଧ୍ୟରେ ଟଣାଓଟରା ରାଜନୈତିକ ମାହୋଲ୍କୁ ଗରମ କରି ରଖିଛି। ବିଜେପି ତରଫରୁ ରାହୁଲ୍ଙ୍କ ନାଗରିକତ୍ବକୁ ନେଇ ଏବେ ବିବାଦ ଉଠିଛି। ସୁବ୍ରମଣ୍ୟମ୍ ସ୍ବାମୀଙ୍କ ଅଭିଯୋଗ ପରେ ଗୃହ ମନ୍ତ୍ରଣାଳୟ ଏନେଇ ରାହୁଲ୍ଙ୍କୁ ନୋଟିସ୍ ଜାରି କରିଛନ୍ତି। ତେବେ ରାହୁଲ୍ ଗାନ୍ଧିଙ୍କ ନାଗରିକତ୍ବ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପ୍ରିୟଙ୍କା ଗାନ୍ଧି। କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ବିଜେପି ଶସ୍ତା ଲୋକପ୍ରିୟତା ପାଇଁ ରାହୁଲଙ୍କ ନାଗରିକତ୍ବକୁ ମୁଦ୍ଦା କରିଛି। ବିଜେପିର ଅଭିଯୋଗ ଭିତ୍ତିହୀନ ତଥା ଅସଙ୍ଗତ ଓ ଡ୍ରାମା ଅଟେ। ପ୍ରିୟଙ୍କା ଗାନ୍ଧି ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦେଶ ଜାଣିଛି ରାହୁଲ୍ କେଉଁଠାରେ ଜନ୍ମ ହୋଇଛନ୍ତି। ସେ ଜଣେ ଭାରତୀୟ। ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ କିଛି କହିବା ପାଇଁ, ସେଥିପାଇଁ ଏପରି ଅପ୍ରାସଙ୍ଗିକ ଅଭିଯୋଗ କରି ରାଜନୀତି କରୁଛି।
ରାହୁଲଙ୍କ ନାଗରିକତ୍ବକୁ ନେଇ ମୁହଁ ଖୋଲିଲେ ପ୍ରିୟଙ୍କା
Published:
Apr 30, 2019, 2:51 pm IST
Tags: