ବାଣପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

Published: May 14, 2022, 2:28 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ରତନପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସେହି ଗ୍ରାମର ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ରତନପୁର ଗ୍ରାମର ଶ୍ରୀକୃଷ୍ଣ ବେହେରାଙ୍କ ପୁଅ ଗୋଲଖ ବେହେରା (୩୦) ଆଜି ୧୧ ଘଟିକା ସମୟରେ କୌଣସି କାମ ପାଇଁ ବଜାରକୁ ଯାଉଥିଲେ। ହେଲେ ଗତକାଲି ହୋଇଥିବା ବର୍ଷା ଯୋଗୁଁ ନିଜ ଘର ବାହାରେ ପାଣି ଜମି ରହିଥିଲା। ଯାହା ଫଳରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା। ଏବଂ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ସେ ସଂସ୍ପର୍ଶରେ ଆସିଯାଇଥିଲେ।

ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଦ୍ୟୁତ ଆଘାତରେ ତାଙ୍କର ବାମ ହାତଟି ଜଳି ଯାଇ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବା କୁହାଯାଉଛି।

ସଙ୍ଗେ ସଙ୍ଗେ ତାଙ୍କୁ ବାଣପୁର ମେଡିକାଲ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।

ଟ୍ରାନ୍ସଫର୍ମରର ଚତୁର୍ପାର୍ଶ୍ୱରେ ସୁରକ୍ଷା ପାଚେରି ନଥିବା ଯୋଗୁଁ ଏଭଳି ଏକ ଘଟଣା ଘଟିଲା ବୋଲି ଗ୍ରାମବାସୀ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଗ୍ରାମବାସୀ ପାଚେରୀ ନିମନ୍ତେ ଦରଖାସ୍ତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Related posts