ପିଏମ୍‌ ସେନା ନାମରେ ଭୋଟ୍‌ ମାଗୁଛନ୍ତି, ଜଣେ ଫୌଜୀ ତାଙ୍କ ବିପକ୍ଷରେ ଭୋଟ୍‌ ମାଗୁଛି – ନଭଜୋତ୍‌ ସିଂ ସିଦ୍ଧୁ

Published: Apr 30, 2019, 4:07 pm IST

କଂଗ୍ରେସ ନେତା ନଭଜୋତ୍‌ ସିଂ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା କରି କହିଛନ୍ତି ଯେ, ମୋଦି ସେନା ନାମରେ ଭୋଟ୍‌ ମାଗୁଥିବାବେଳେ ବାରଣାସୀଠାରେ ଜଣେ ପୂର୍ବତନ ଫୌଜୀ ମୋଦିଙ୍କ ବିପକ୍ଷରେ ଭୋଟ୍‌ ମାଗୁଛନ୍ତି । ଭୋପାଳର କଂଗ୍ରେସ ପ୍ରାର୍ଥୀ ଦିଗ୍‌ବିଜୟ ସିଂଙ୍କ ସମର୍ଥନରେ ସୋମବାର ରାତିରେ ଏକ ନିର୍ବାଚନୀ ସଭାରେ ସିଦ୍ଧୁ କହିଛନ୍ତି ଯେ,  ବିଜେପି ମୋଦି ନାମରେ ଭୋଟ୍‌ ମାଗୁଛି, ମୋଦି ଫୌଜ (ସେନା) ନାମରେ ଭୋଟ୍‌ ମାଗୁଛନ୍ତି, ଯେତେବେଳେ ଜଣେ ଫୌଜୀ ମୋଦିଙ୍କ ବିପକ୍ଷରେ ଭୋଟ୍‌ ମାଗୁଛି ।  ଏହି ଅବସରରେ ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ, ସାଧାରଣ ଜନତା ବୁଝିଗଲେଣି, ମୋଦି ସାହେବଙ୍କର କାମ କାର୍ଯ୍ୟକୁ । ମୋଦି ସାଧାରଣ ଜନତାଙ୍କ ଧ୍ୟାନ ରୋଜଗାର, ନୋଟ୍‌ବନ୍ଦୀ, ଜିଏସ୍‌ଟିର ଭୁଲ୍‌ ପ୍ରୟୋଗ ଆଦି ଗୁରୁତ୍ବପୂର୍ଣ୍ଣ ବିଷୟରୁ ହଟାଇ ସେନା ଉପରେ ନିକ୍ଷେପ କରାଉଛନ୍ତି ।  ବିଏସ୍‌ଏଫ୍‌ର ପୂର୍ବ କନେଷ୍ଟବଳ ତେଜ ବାହାଦୂର ଯାଦବ ବାରଣାସୀରେ ସପା ତରଫରୁ ମୋଦିଙ୍କ ବିପକ୍ଷରେ ନିର୍ବାଚନୀ ମଇଦାନରେ ପ୍ରାର୍ଥୀ ହୋଇଛନ୍ତି । ଏହାକୁ ନେଇ ସିଦ୍ଧୁ ମୋଦିଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ବିଜେପି ଓ ମୋଦି ନିର୍ବାଚନ ହାରିବାକୁ ଯାଉଛନ୍ତି । ମୋଦି ନୋଟ୍‌ବନ୍ଦୀ ଜରିଆରେ ଦେଶର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇଥିବାବେଳେ ଏଥିରୁ ଜନତାଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ପୁନଶ୍ଚ ନୋଟ୍‌ବନ୍ଦୀ ଯୋଗୁଁ ଦେଶରେ ବରୋଜଗାରୀ ସର୍ବୋଚ୍ଚସ୍ତରକୁ ବୃଦ୍ଧି ପାଇଛି ବୋଲି କହିଛନ୍ତି ସିଦ୍ଧୁ ।  ଏପରି ବିଷୟରୁ ଧ୍ୟାନ ହଟାଇବା ପାଇଁ ଆଜିର ଯୁବପିଢିଙ୍କ ଭିତରେ ରାଷ୍ଟ୍ରବାଦର ବିଷୟକୁ ଉତ୍ଥାପନ କରୁଛନ୍ତି ମୋଦି । ସେହିପରି କଂଗ୍ରେସର ରାଫେଲ୍‌ ଅଭିଯୋଗକୁ ସିଦ୍ଧୁ ଦୋହରାଇ ମୋଦିଙ୍କୁ ନିଶାନା ମଧ୍ୟ କରିଛନ୍ତି ।

Related posts