
ଭୁବନେଶ୍ବର: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରାୟ ୪୦୦୦ ହଜାର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ୨୦୧୫ ମସିହା ଜୁନ୍ ମାସରେ ନିଯୁକ୍ତି ଦିଆଯାଇଥିଲା। ୬ ମାସ କାର୍ଯ୍ୟ କରିବାପରେ ଆକସ୍ମିକ ଭାବରେ ତାଙ୍କୁ ପୁଣି ବିନା ଦୋଷରେ ଛଟେଇ କରିଦିଆଗଲା। କୌଣସି ଦୋଷ ନଥାଇ ସରକାର ତାଙ୍କୁ ନିଜ ଦୋଷ ଲୁଚାଇବାକୁ ଯାଇ ଛଟେଇ କଲେ। ଛଟେଇ ହେବା ପରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ରାଜରାସ୍ତାକୁ ଆସି ସରକାରଙ୍କୁ ନିଜର ହକ୍ ମାଗିଥିଲେ।
ପୁନଃ ନିଯୁକ୍ତି ନିମନ୍ତେ ରାଜ ରାସ୍ତାରେ ଦିର୍ଘ ଦିନ ଧରି ବସିବା ପରେ ସରକାର ପୁନଃଶ୍ଚ ୨୦୧୬ ଏପ୍ରେଲ୍ ମାସରେ ନିଯୁକ୍ତି ଦେଲେ। ସେହି ସମୟ ମଧ୍ୟରେ ଶିକ୍ଷକମାନେ ନାନାଦି ଦୁଶ୍ଚିନ୍ତା ମଧ୍ୟରେ ନିଜର ଦିନ କାଟିଥିଲେ। ଯେତେବେଳେ ନିଯୁକ୍ତି ପୁନଃ ପାଇଲେ ଭାବିଥିଲେ ଏବେ ଦୁଃଖ ଗଲା।
କିନ୍ତୁ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଦୁଃଖ କେବେ କମିବା ବଦଳରେ ବଢି ବଢି ଚାଲିଛି। ସରକାରଙ୍କର ନିୟମ ଅନୁସାରେ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସନ୍ତୋଷଜନକ ଭାବେ କାର୍ଯ୍ୟ କରି ୬ ବର୍ଷ ଚାକିରି ସମୟ ପୂରଣ କରିବେ ତାଙ୍କୁ ୬ ବର୍ଷ ପୂରଣ ଦିନଠାରୁ ହିଁ ନିୟମିତ କରାଯିବ ଏବଂ ସମସ୍ତ ସୁବିଧା ସୁଯୋଗ ନିୟମିତ ସରକାରୀ କର୍ମଚାରୀ ଭାବରେ ସେ ପାଇପାରିବେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ସରକାରୀ ନିୟମକୁ ସରକାର ନିଜେ ହିଁ ଭାଙ୍ଗୁଛନ୍ତି।
୨୦୧୬ ରେ ଛଟେଇ ପରେ ପୁନଃ ନିଯୁକ୍ତି ପାଇଥିବା ପ୍ରାୟ ୪୦୦୦ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ୨୦୨୨ ଅପ୍ରେଲ ମାସରେ ୬ ବର୍ଷ ଚାକିରି ସମୟ ପୂରଣ କରିଥିଲେ ମଧ୍ୟ ସରକାର ସେମାନଙ୍କୁ ନିୟମିତ କରିବାପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିନାହାନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟଳୟରୁ ମଧ୍ୟ ଏଥିନିମନ୍ତେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ନକରିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ବ୍ୟଥିତ କରିଛି।
ନିୟମିତ ସମୟ ପୂରଣ ହୋଇଥିଲେ ମଧ୍ୟ ସେମାନେ ନିୟମିତ କର୍ମଚାରୀ ଭାବରେ କୌଣସି ସୁବିଧା ସୁଯୋଗ ପାଇପାରୁନାହାନ୍ତି। ଏଥି ନିମନ୍ତେ ରାଜ୍ୟ ସଂଘ ତରଫରୁ ବହୁ ବାର ବିଭାଗୀୟ ମନ୍ତ୍ରୀ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ ବୋଲି ରାଜ୍ୟ ସଂଘର ମହା ସଚିବ ବିଶ୍ୱଜିତ୍ ବିଶ୍ଵାଳ କହିଛନ୍ତି।
ସରକାର ୭ ଦିନ ଭିତରେ ଏହି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ କରିବା ପାଇଁ କୌଣସି ନିଷ୍ପତି/କାର୍ଯ୍ୟପନ୍ଥା ଗ୍ରହଣ ନକଲେ ରାଜ୍ୟ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଳାଇବ ବୋଲି ରାଜ୍ୟ ସଂଘର ସଭାପତି ପଞ୍ଚାନନ ଜେନା ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି।
ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସରକାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି କିନ୍ତୁ ସେମାନଙ୍କୁ ତାଙ୍କର ମୌଳିକ ଅଧିକାର ଦେବାରେ ସରକାର ଅବହେଳା କାହିଁକି କରୁଛନ୍ତି ବୋଲି ରାଜ୍ୟ ସଂଘର ସଂପାଦକ ଅର୍ନ୍ତଯ୍ୟାମୀ ବେହେରା, ଅକ୍ଷୟ ସତନାମି, ଦାମୋଦର ମହାନନ୍ଦ, ବିନୋଦ ମିଶ୍ର, ମନୋହର ଦାସ, ପ୍ରତାପ ସାମଲ, ବସନ୍ତ କୌଶଲ୍ୟ, ମାନସ ମିଶ୍ର, ପ୍ରମୁଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।