ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ କଂଗ୍ରସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହା ଉପରେ ନିର୍ବାଚନ କମିଶନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସୁପ୍ରିମ୍କୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି । କଂଗ୍ରେସ ସାଂସଦ ତଥା ମହିଳା ଶାଖା ସଭାପତି ସୁସ୍ମିତା ଦେବଙ୍କ ଯାଚିକାର ବିଚାର କରି ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ଗୋଗୋଇଙ୍କ ବ୍ୟତିତ ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନା ଏହି ଖଣ୍ଡପୀଠର ସଦସ୍ୟ ରହିଛନ୍ତି । ଅନ୍ୟ ନେତାଙ୍କ ବିରୋଧରେ ନିର୍ବାଚନ କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ମୋଦି ଏବଂ ଶାହାଙ୍କ କ୍ଷେତ୍ରରେ କାହିଁକ ଶିଥିଳତା ଅବଲମ୍ବନ କରିଛନ୍ତି ବୋଲି ସୁସ୍ମିତା ଦେବ ଅଭିଯୋଗ ବାଢିଛନ୍ତି । ଦେବଙ୍କ ଅଭିଯୋଗ ଅନୁଯାୟୀ ଉଭୟ ମୋଦି ଏବଂ ଶାହା ନିଜ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ସେନାର ବାରମ୍ବାର ବ୍ୟବହାର କରିଛନ୍ତି । ଏପ୍ରିଲ୍ ୨୫ ଏବଂ ୨୬ ତାରିଖରେ ମୋଦିଙ୍କ ବାରଣାସୀ ଗସ୍ତ ଏବଂ ନାମାଙ୍କନ ଦାଖଲ ସମୟରେ ସେ ସର୍ଜିକାଲ ଷ୍ଟ୍ରାଇକ୍, ବାଲାକୋଟ ଏୟାର ଷ୍ଟ୍ରାଇକ୍ର ନାମ ନେଇଥିଲେ ଯାହାକି ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ ବୋଲି କହିଛନ୍ତି ଦେବ । ସେହିପରି ଆଜି ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହ ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଆଚରଣ ବିଧି ଉଲଂଘନ ମାମଲାର ବିଚାର କରିବେ ବୋଲି ଜଣା ପଡିଛି । ସହକାରୀ ନିର୍ବାଚନ କମିଶନର ଚନ୍ଦ୍ର ଭୂଷଣ କୁମାର ଏନେଇ ଆଜି ସମ୍ପୂର୍ଣ୍ଣ ସଦସ୍ୟଙ୍କ ଏକ ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।
ମୋଦି ଏବଂ ଶାହାଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ : ଇସିଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍
Published:
Apr 30, 2019, 5:01 pm IST
Tags: