ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ନିଜର ଖରାପ ଫର୍ମ ଜାରି ରଖିଛନ୍ତି। କ୍ରମାଗତ ଭାବରେ ଚତୁର୍ଥ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ସାଇନା। ସାଇନା ପ୍ରଥମ ରାଉଣ୍ଡରେ ବିଶ୍ବ ମାନ୍ୟତାରେ ୨୧୨ ନମ୍ବର ସ୍ଥାନରେ ରହିଥିବା ଓ୍ବାଙ୍ଗ ଝାଇଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଅନ୍ୟତମ ଭାରତୀୟ ଯୋଡି ମନୁ ଅତ୍ରୀ ଏବଂ ବି ସୁମିତ୍ ରେଡ୍ଡୀ ପ୍ରଥମ ରାଉଣ୍ଡରେ ସ୍ଥାନୀୟ ଯୋଡି ଜୋସୁଆ ଫେଙ୍ଗ ଏବଂ ଜ୍ୟାକ୍ ଜିଆଙ୍ଗଙ୍କୁ ପରାସ୍ତ କରିଛନ୍ତି। ଉଭୟ ୨୧-୧୭ ଏବଂ ୨୧-୧୦ ସେଟ୍ରେ ସ୍ଥାନୀୟ ଯୋଡିଙ୍କୁ ଅନାୟାସରେ ପରାସ୍ତ କରିଥିଲେ। ୨୯ ବର୍ଷ ବୟସ୍କା ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ୧୬-୨୧,୨୩-୨୧ ଏବଂ ୪-୨୧ରେ ୧୯ ବର୍ଷୀୟା ଝାଇଙ୍କ ନିକଟରୁ ପରାଜିତ ହୋଇଥିଲେ। ୧ ଘଣ୍ଟା ୭ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ପ୍ରଥମ ଦୁଇ ରାଉଣ୍ଡ କଡା ସଙ୍ଘର୍ଷ ପୂର୍ଣ୍ଣ ରହିଥିବା ବେଳେ ତୃତୀୟ ରାଉଣ୍ଡରେ ଝାଇ ଏକ ପାଖିଆ ମ୍ୟାଚ୍ ଜିତି ନେଇଥିଲେ ଏବଂ ସାଇନାଙ୍କୁ ବାହାର ରାସ୍ତା ଦେଖାଇଥିଲେ। ଅନ୍ୟତମ ମହିଳା ଯୁଗଳ ଯୋଡି ଅଶ୍ବିନୀ ପୋନାପ୍ପା ଏବଂ ଏନ୍ ସିକ୍କି ରେଡ୍ଡୀ ୧୪-୨୧, ୨୩-୨୧ ଏବଂ ୧୪-୨୧ ସେଟ୍ରେ ପରାଜିତ ହୋଇଥିଲେ। ଏହି ମୁକାବିଲା ୧ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିଲା।