ନିର୍ବାଚନ କମିଶନଙ୍କ ନୋଟିସ୍ର ଗୋଟିଏ ଦିନ ପରେ ସମାଜବାଦୀ ପାର୍ଟିର ସାଂସଦ ପ୍ରାର୍ଥୀ ତେଜ୍ ବାହାଦୂରଙ୍କ ନାମାଙ୍କନ ଖାରଜ କରିଛନ୍ତି ନିର୍ବାଚନ କମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣାସୀରୁ ଏସପିର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବିଏସଏଫରୁ ନିଲମ୍ୱିତ ହୋଇଥିବା ଯବାନ ତେଜ ବାହାଦୁର ଯାଦବଙ୍କ ଲୋକସଭା ନିର୍ବାଚନ ଲଢିବା ସ୍ୱପ୍ନ ଚୁରମାର ହୋଇଛି। ପ୍ରାର୍ଥୀପତ୍ର ଖାରଜ ହେବା ପରେ ବର୍ତ୍ତମାନ ଶାଳିନୀ ଯାଦବ ଏକମାତ୍ର ପ୍ରାର୍ଥୀ ଭାବେ ମୋଦିଙ୍କ ବିପକ୍ଷରେ ଅବତୀର୍ଣ୍ଣ ହେବେ। ସୂଚନାଯୋଗ୍ୟ ଯେ ତେଜ ବାହାଦୁର ଯାଦବ ପ୍ରଥମେ ନିର୍ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ଥିଲେ କିନ୍ତୁ ପରେ ଏପିର ପ୍ରାର୍ଥୀ ଭାବେ ପୁଣି ଥରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏହି ଦୁଇଟି ନାମାଙ୍କନ ପତ୍ରରେ ସେ ଚାକିରୀରୁ ନିଲମ୍ୱନ ନେଇ ଦୁଇଟି ଅଲଗା ଅଲଗା ତଥ୍ୟ ଦେଇଥିଲେ। ଯାହାକୁ ନେଇ ତେଜ ବାହାଦୁରଙ୍କୁ ଗତକାଲି ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ନିର୍ବାଚନ କମିଶନ ତେଜବାହାଦୂରଙ୍କ ପ୍ରାର୍ଥୀପତ୍ର ଖାରଜ କରିବା ପରେ ସୁପ୍ରିମକୋର୍ଟ ଯିବା ନେଇ ସୂଚନା ଦେଇଛନ୍ତି ତେଜ ବାହାଦୂର। ପ୍ରକୃତ ଚୌକିଦାରର ସାମ୍ନା କରିବାକୁ ମୋଦି ଭୟ କରୁଛନ୍ତି ତେଣୁ ମୋ ପ୍ରାର୍ଥୀପତ୍ର ଖାରଜ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ତେଜ୍ ବାହାଦୂର।
ତେଜ୍ ବାହାଦୂରଙ୍କ ନାମାଙ୍କନ ଖାରଜ କଲେ ନିର୍ବାଚନ କମିଶନ
Published:
May 1, 2019, 4:24 pm IST
Tags: