ଲୋକପ୍ରିୟ ଗୀତିକାର ଜାଭେଦ ଅଖତର୍ ବିଜେପି ସହିତ ଭୋପାଳରୁ ବିଜେପି ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞାଙ୍କୁ କଟାକ୍ଷ କରିଛନ୍ତି । ଅଖତର କହିଛନ୍ତି ଯେ, ବିଜେପି ଭୋପାଳବାସୀଙ୍କୁ କ’ଣ ବୋଲି ଭାବିଛି, କେଉଁ କାରଣରୁ ଏହି ଆସନରୁ ସାଧ୍ବୀ ପ୍ରଜ୍ଞାକୁ ପ୍ରାର୍ଥୀ କରିଛି । ଏହାଦ୍ବାରା ବିଜେପିର ମାନସିକତା ବେଶ୍ ସ୍ପଷ୍ଟ ଜଣାପଡୁଛି । ଚଳିତ ନିର୍ବାଚନ ଦେଶରେ ହୋଇଥିବା ନିର୍ବାଚନ ମଧ୍ୟରେ ସବୁଠୁ ଅଲଗା ରହିବ । ଏହା ଦେଶର ଦିଶା ନିର୍ଣ୍ଣୟ କରିବ । ଗୁରୁବାର ଦିନ ଭୋପାଳଠାରେ ଜାଭେଦ୍ ବିଜେପି ଉପରେ ନିଶାନା କରି କହିଛନ୍ତି ଯେ, ତାଙ୍କୁ ଅମିତ୍ ଶାହା ଓ ମୋଦି ପସନ୍ଦ ନୁହଁନ୍ତି । ସେହିପରି ଶିବସେନା ଦ୍ବାରା ବୁର୍ଖା କଟକଣା ଉପରେ ଜାଭେଦ୍ ମତ ଦେଇ କହିଛନ୍ତି ଯେ, ଯଦି ବୁର୍ଖା ଉପରେ କାନୁନ୍ ଆସିବ, ତା’ହେଲେ ରାଜସ୍ଥାନର ଘୁଘଁଟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବ । ଜାଭେଦ କହିଛନ୍ତି ଯେ, ‘ବିଜେପିର ଏପରି ଚିନ୍ତାଧାରା ହୋଇଗଲାଣି ଯେ, ଯଦି ତୁମେ ବିଜେପି ପକ୍ଷରେ ନାହଁ, ତା’ହେଲେ ତୁମେ ଆଣ୍ଟି ନ୍ୟାସନାଲ୍ ।’ ସେହିପରି ସାଧ୍ବୀ ପ୍ରଜ୍ଞାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଯଦି ତାଙ୍କ ଅଭିଶାପ ଦ୍ବାରା ଜଣେ ଦେଶଭକ୍ତ ଅଫିସର ଶହୀଦ୍ ହୋଇପାରୁଛନ୍ତି, ତା’ହେଲେ ସେ ତାଙ୍କ ଅଭିଶାପକୁ ପୂରା ଦେଶରେ ବ୍ୟବହାର କରିବା ଦରକାର । ଏହା ଦ୍ବାରା ହାଫିଜ୍ ସଇଦ୍ ଓ ଅନ୍ୟ ଆତଙ୍କୀଙ୍କ ଉପରେ ବ୍ୟବହାର କରିବା ଦରକାର । ବିଜେପି ସାଧ୍ବୀ ପ୍ରଜ୍ଞାଙ୍କୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରାଇ ପରାଜୟକୁ ସ୍ବୀକାର କରିଛି ବୋଲି ଜାଭେଦ କହିଛନ୍ତି ।