ସିଦ୍ଧୁଙ୍କ ‘କଳା ଇଂରେଜ୍‌’ ମନ୍ତବ୍ୟ ଉପରେ ବିଜେପିର ପାଲଟା ଜବାବ

Published: May 11, 2019, 6:04 pm IST

ଦେଶରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି । ଏବେବି ରାଜନୈତିକ ବୟାନବାଜି ଥମିବାର ନାଁ ଧରୁନାହିଁ । କଂଗ୍ରେସର ନେତା ନଭଜୋତ୍‌ ସିଂ ସିଦ୍ଧୁ ପୁଣିଥରେ ବିଜେପି ବିରୋଧରେ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିବାବେଳେ ଇନ୍ଦୋରଠାରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ସିଦ୍ଧୁ ବିଜେପିକୁ ଟାର୍ଗେଟ୍‌ କରିବା ସହିତ ମୋଦିଙ୍କୁ ‘କଳା ଇଂରେଜ’ ବୋଲି କହିଥିଲେ । ତେବେ ସିଦ୍ଧୁଙ୍କ ଏହି ବୟାନ୍‌ ଉପରେ ପାଲଟା ଜବାବ ଦେବା ସହିତ ସିଦ୍ଧୁ ଏହି ବୟାନ୍‌ରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୁହେଁ ବରଂ ଭାରତୀୟଙ୍କୁ ’କଳା ଇଂରେଜ’ କହିଛନ୍ତି ବୋଲି ଯୁକ୍ତି ବାଢିଛି ବିଜେପି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସିଦ୍ଧୁଙ୍କୁ ପାଲଟା ଆକ୍ରମଣ କରି କହିଛନ୍ତି ଯେ, ‘ମୋଦି କଳା ହେଲେ ସେଠୁ କ’ଣ ହେଲା, ସେ ହିନ୍ଦୁସ୍ତାନର ରକ୍ଷକ । ଏହା ସହିତ ସମ୍ବିତ ପାତ୍ରା ସୋନିଆ ଗାନ୍ଧିଙ୍କ ରଙ୍ଗକୁ ନେଇ ମଧ୍ୟ ଟିପ୍ପଣୀ କରିଛନ୍ତି । ସିଦ୍ଧୁ ୧୯୮୪ ଶିଖ୍‌ ଦଂଗା ଉପରେ କିଛି କହୁନାହାନ୍ତି, କିନ୍ତୁ ମୋଦି ଇଂରେଜ ଓ ସୋନିଆ ଗାନ୍ଧି ହିନ୍ଦୁସ୍ତାନୀ କହିଛନ୍ତି, ଏହା କେଉଁ ପ୍ରକାରର ନ୍ୟାୟ? ଏବଂ ଆସନ୍ତା ମେ ୨୩ ତାରିଖରେ ଏହି ଇଟାଲିଆନ୍‌ ରଂଗ ଉଡିଯିବ ବୋଲି ସମ୍ବିତ ପାତ୍ର କଟାକ୍ଷ କରିଛନ୍ତି । ସେହିପରି ସିଦ୍ଧୁଙ୍କ ‘କଳା ଇଂରେଜ’ ମନ୍ତବ୍ୟ ଉପରେ ବିଜେପିର ନେତା ଗିରିରାଜ ସିଂ ରାହୁଲ୍‌ ସଙ୍ଗତିର ପ୍ରଭାବ ବୋଲି କହିଛନ୍ତି

Related posts