ଆସନ୍ତା ୧୯ ତାରିଖରେ ଦେଶରେ ଅନୁଷ୍ଠିତ ହେବ ୨୦୧୯ ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଏବେ ରାଜନୈତିକ ବାତାବରଣ ବେଶ୍ ସରଗରମ। ସବୁ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ବ୍ୟସ୍ତ । ଭାରତୀୟ ଜନତା ପାର୍ଟି ମଧ୍ୟ ଅନ୍ତିମ ପର୍ଯ୍ୟାୟ ପାଇଁ ବେଶ୍ ତତ୍ପର । ଠିକ୍ ସମୟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ରୋଡ୍ ଶୋ’କୁ ଅନୁମତି ନ ମିଳିବା ଘଟଣା ବେଶ୍ ଚର୍ଚ୍ଚାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗର ଯାଦବପୁରରେ ରୋଡ୍ ଶୋ’ କରିବାକୁ ଅନୁମତି ମିଳିଲା ନାହିଁ। ଏହାସହ ସେଠାରେ ତାଙ୍କ ହେଲିକପ୍ଟରକୁ ଓହ୍ଲାଇବାର ଅନୁମତି ମଧ୍ୟ ଦିଆଗଲା ନାହିଁ। ସୂଚନାଯୋଗ୍ୟ, ସୋମବାର ଦିନ ଶାହ ପଶ୍ଚିମବଙ୍ଗରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ଥିଲା। ଏହା ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କୁ ପଶ୍ଚିମବଙ୍ଗରେ ରୋଡ ଶୋ’ କରିବାକୁ ଅବା ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ଦେଇ ନ ଥିଲେ। ବିଜେପି ସହ ଟିଏମ୍ସିର ଟକ୍କର ଚାଲୁଥିବା ବେଳେ ମମତା ଏଥିପାଇଁ ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ପୁରାଇ ଦେଉ ନ ଥିବା ଆଲୋଚନା ହେଉଛି।