ଆଧାର-ଭୋଟର ଆଇଡି ଲିଙ୍କ୍ ମାମଲା: କଂଗ୍ରେସ ନେତାଙ୍କ ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ

Published: Jul 25, 2022, 1:04 pm IST

ନୂଆଦିଲ୍ଲୀ: ଆଧାର-ଭୋଟର ଆଇଡି ଲିଙ୍କ୍ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲାଙ୍କ ଆବେଦନ ଶୁଣିବାକୁ ମନା କରିଦେଇଛନ୍ତି ଏବଂ ତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ହାଇକୋର୍ଟ ଏଭଳି ଆବେଦନ ଉପରେ ଶୁଣାଣି କରିସାରିଛନ୍ତି। ଯଦି ଏହି ବିଷୟରେ ବିଭିନ୍ନ ସ୍ଥାନରେ ଏକାଧିକ ପିଟିସନ୍ ଦାଖଲ କରାଯାଏ, ତେବେ କେନ୍ଦ୍ର ଏକ ସ୍ଥାନାନ୍ତର ଆବେଦନ କରିପାରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟକୁ ଯିବାର ଏକ ଆଇନଗତ ପ୍ରତିକାର ମଧ୍ୟ ରହିଛି। ପ୍ରଥମେ ଆବେଦନକାରୀ ହାଇକୋର୍ଟଙ୍କ ନିକଟକୁ ଯିବା ଉଚିତ୍। ସୁରେଜୱାଲାଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କ ଏକ ବେଞ୍ଚ ଏହି ଆବେଦନ ଶୁଣାଣି କରିଛନ୍ତି। କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଏହି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ନିର୍ବାଚନ ଅଧିନିୟମ ସଂଶୋଧନ ଆଇନ ବିରୋଧରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଆଇନର ସଂଶୋଧନ ବାତିଲ କରିବାକୁ ସୁରଜେୱାଲା ଦାବି କରିଛନ୍ତି। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ସୁରଜୱାଲା ଆଧାରକୁ ଭୋଟର ପରିଚୟ ସହିତ ଯୋଡିବା ଆଇନକୁ ଗୋପନୀୟତା ଅଧିକାରର ଉଲ୍ଲଂଘନ ଏବଂ ସମ୍ବିଧାନର ଉଲ୍ଲଂଘନ ବୋଲି କହିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ଏହା ସମାନତାର ଅଧିକାର ବିରୁଦ୍ଧ ଅଟେ। ଆବେଦନରେ କୁହାଯାଇଛି ଯେ, ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ନାଗରିକଙ୍କ ଗୋପନୀୟତା ଅଧିକାରର ଉଲ୍ଲଂଘନ ଏବଂ ଏହା ଅସାମ୍ବିଧାନିକ। କଂଗ୍ରେସର ଏକ ଯୁକ୍ତି ମଧ୍ୟ ରହିଛି ଯେ, ଆଧାର ନାଗରିକତ୍ୱର ପ୍ରମାଣ ନୁହେଁ ବରଂ ବାସିନ୍ଦା ହେବାର ପ୍ରମାଣ ହୋଇଥିବାବେଳେ ଭୋଟର ପରିଚୟ ପତ୍ର ନାଗରିକତ୍ୱ ଅଧିକାର ପ୍ରଦାନ କରିଥାଏ।

Related posts