ମତଦାନର ସମୟ ପରିବର୍ତ୍ତନକୁ ନେଇ ଦାଏର ହୋଇଥିବା ଯାଚିକାକୁ ଖାରଜ୍‌ କଲେ ସୁପ୍ରିମ୍‌କୋର୍ଟ

Published: May 13, 2019, 3:59 pm IST

ରମଜାନ ମାସରେ ଶୀଘ୍ର ମତଦାନ କରିବା ପାଇଁ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ଯାଚିକାକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଦେଇଛନ୍ତି । ଏହାଉପରେ କୋର୍ଟ କହିଛନ୍ତି ଯେ, ମତଦାନ ସମୟ ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗଙ୍କ ଅଧିକାର ।  ସେହିପରି ସକାଳ ୭ଟାରୁ ସନ୍ଧ୍ୟା ୬ ଘଟିକା ସମୟ ପର୍ଯ୍ୟାପ୍ତ ଅଟେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।  ରାମଜାନ୍‌ ସମୟରେ ହେଉଥିବା ମତଦାନ ସକାଳ ୭ଟା ପରିବର୍ତ୍ତେ ଭୋର ୫ଟାରୁ ମତଦାନ ଆରମ୍ଭ କରିବାକୁ ଅପିଲ କରାଯାଇଥିଲା । ପୂର୍ବରୁ ନିର୍ବାଚନ ଆୟୋଗ ସମୟ ପରିବର୍ତ୍ତନକୁ ଅବ୍ୟବହାରିକ କହିବା ସହିତ ଖାରଜ କରି ପ୍ରତିକ୍ରିୟାରେ କହିଥିଲେ ଯେ, ଅନେକ ରାଜ୍ୟରେ ସୂର୍ଯ୍ୟୋଦୟର ସମୟ ଅଲଗା ରହିବା ସହିତ ଏଥିରେ ମତଦାନରେ ନିୟୋଜିତ ଅଧିକାରୀମାନେ ମଧ୍ୟ ବହୁ ସମୟ ଧରି କାର୍ଯ୍ୟ କରୁଛନ୍ତି । ଏହା ସହିତ ନିର୍ବାଚନ ସୁରକ୍ଷା ଅତି ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ନିର୍ଦ୍ଧାରିତ ସମୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବାବେଳେ ଗତ ମେ ୨ ତାରିଖରେ ସୁପ୍ରିମ୍‌କୋର୍ଟ ରାମଜାନ ପାଇଁ ଏହି ପ୍ରସଙ୍ଗରେ ବିଚାର କରିବାକୁ ନିର୍ବାଚନ ଆୟୋଗକୁ କହିଥିଲେ ।  ଚଳିତ ରାମଜାନ ସମୟରେ ନିର୍ବାଚନର ତିନୋଟି ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି । ଏହି ରାମଜାନ୍‌କୁ ଆଖି ଆଗରେ ରଖି ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରାଯାଇଥିବାବେଳେ ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଏପରି କରିବା ଅସମ୍ଭବ ବୋଲି କହିଥିଲେ । ତେବେ ପ୍ରମୁଖ ପର୍ବପର୍ବାଣୀ ତଥା ଶୁକ୍ରବାର ଦିନଗୁଡ଼ିକରେ ନିର୍ବାଚନ ଦିବସ ରଖା ନଯାଇଥିବାର କହିଥିଲେ ।

Related posts