ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତି ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଏବଂ ନୀତି ଆୟୋଗ ଉପାଧ୍ୟକ୍ଷ

Published: Jul 27, 2022, 5:00 pm IST

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଶାସ୍ତ୍ରଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କ୍ରିୟାନ୍ୱୟନ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ସେହିପରି ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଆଲୋଚନା କାଳରେ ଡକ୍ଟର ବେରୀ ନୀତି ଆୟୋଗ ଦ୍ୱାରା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପରେ ଆଲୋକପାତ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ବିଷୟରେ  ଡା. ବେରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଏକ ଜ୍ଞାନ ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ନବସୃଜନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଟଳ ଇନୋଭେସନ୍ ମିଶନ୍ ମାଧ୍ୟମରେ ବିଦ୍ୟାଳୟରୁ ଶିଳ୍ପ କାରଖାନା ଯାଏଁ ନବସୃଜନକୁ ପ୍ରୋତ୍ସାହିତ କରିବାରେ ନୀତି ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେହିପରି ଦେଶରେ ଉତ୍ପାଦନ କ୍ଷେତ୍ରରେ ନବସୃଜନ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ସାକ୍ଷାତକାରରେ ଡକ୍ଟର ବେରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ଏହି ବୈଠକରେ ନୀତି ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ସର୍ବୋଚ୍ଚ ସ୍ତରରେ ଏକ ବ୍ୟାପକ ସହମତି ଭିତ୍ତିରେ ବିଭିନ୍ନ ଯୋଜନା ଉପରେ କ୍ରିୟାନ୍ୱୟନ ପାଇଁ ଏକ ରୋଡମ୍ୟାପ୍ ଏବଂ ଫଳାଫଳ ଆଧାରିତ ଯୋଜନା ଚୂଡ଼ାନ୍ତ କରାଯିବ।

Related posts