ଇସ୍ତଫା ପରେ ନୀତୀଶ କୁମାରଙ୍କର ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ

Published: Aug 9, 2022, 5:07 pm IST

ପାଟନା: ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କ ନିକଟରେ ଇସ୍ତଫା ଦାଖଲ କରିବା ପରେ ନୀତୀଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ନୀତୀଶ କହିଛନ୍ତି ଯେ, ସମସ୍ତ ସାଂସଦ ଏବଂ ବିଧାୟକମାନେ ଏନଡିଏ ଛାଡିବା ଉଚିତ୍ ବୋଲି କହିଥିଲେ। ବିଜେପି ସହ କାମ କରିବା କଷ୍ଟକର ହୋଇପଡିଥିଲା। ସେ କହିଛନ୍ତି ଯେ ଆଜି ଆମ ଦଳର ସମସ୍ତ ସାଂସଦ, ବିଧାୟକ ଏବଂ କାଉନସିଲରଙ୍କ ସହ ଆଲୋଚନା କରିଥିଲୁ। ଏନଡିଏ ଛାଡିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥିଲେ। ସେଥିପାଇଁ ଆମେ ଆଜି ଇସ୍ତଫା ଦେଇଛୁ।

ବିଜେପିରେ ଅସୁବିଧା କ’ଣ ବୋଲି ପ୍ରଶ୍ନରେ ନୀତୀଶ କୁମାର କହିଛନ୍ତି ଯେ ‘ଆଗକୁ କହିବି’। ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦେବା ପରେ ନୀତୀଶ କୁମାର ରାବଡି ଦେବୀଙ୍କ ବାସଭବନ ଆଡକୁ ଯାଇଥିଲେ।

ଏବେ କ’ଣ ହେବ?:

ବର୍ତ୍ତମାନ ନୀତୀଶ କୁମାର ଆରଜେଡି ସହିତ ବିହାରରେ ସରକାର ଗଠନ କରିପାରନ୍ତି। ସୂଚନାନୁସାରେ, ଉପ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ଆରଜେଡି କୋଟାରୁ ହେବ। ତେଜସ୍ୱୀ ଯାଦବ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହେବେ। ଉଲ୍ଲେଖ ଯୋଗ୍ୟ ଯେ ୨୦୧୫ ମସିହାରେ ମଧ୍ୟ ମହା ମେଣ୍ଟ ସରକାର ଗଠନ ହୋଇଥିଲେ ମଧ୍ୟ ତେଜସ୍ୱୀ ଯାଦବ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେ ପୁଣି ଉପ ମୁଖ୍ୟମନ୍ତ୍ରୀ ହେବେ। ବିଭାଗ ବଣ୍ଟନ ଉପରେ କୌଣସି ମତଭେଦ ରହିବ ନାହିଁ ବୋଲି ଆରଜେଡି ସୂତ୍ରରୁ ପ୍ରକାଶ। ତେଜସ୍ୱୀ ଯାଦବ କହିଛନ୍ତି ଯେ, ତାଙ୍କର ୧୬୦ ଶକ୍ତି ଅଛି। ଯଦି ବିଜେପି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରେ କିମ୍ବା ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚେଷ୍ଟା କରେ, ତେବେ ଆମେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବୁ।

Related posts