ଆଜି ବିଶ୍ୱ ହୃଦୟ ଦିବସରେ ବିଶେଷଜ୍ଞଙ୍କ ବାର୍ତ୍ତା: ନିଜେ ବଞ୍ଚିବା ସହ ପରିବେଶ ଓ ସମାଜ ବଞ୍ଚାଅ

Published: Sep 29, 2022, 8:29 am IST

ଭୁବନେଶ୍ଵର: ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢ଼ୁଛି। ସାରା ବିଶ୍ୱ ପାଇଁ ଏହା ଏବେ ଏକ ଚିନ୍ତାର କାରଣ ପାଲଟିଛି। ତେବେ ହୃଦରୋଗ କଣ, ଏହା କିପରି ହୁଏ ଓ ଏହାର ନିରାକରଣ ପାଇଁ କଣ କରାଯାଇପାରିବ, ସେନେଇ ଚିନ୍ତାପ୍ରକଟ କରିଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ। ଆଜି ବିଶ୍ୱ ହୃଦୟ ଦିବସ ଥିବା ବେଳେ ଗତକାଲି ଓଡିଶାର ପ୍ରଖ୍ୟାତ ହୃଦରୋଗ ଚିକିତ୍ସାକେନ୍ଦ୍ର କାର୍ଡିଓ କେୟାର ସେଣ୍ଟର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସିସିସି ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା. ଜେ କେ ପାଢ଼ୀ ହୃଦରୋଗ ନେଇ ଚିନ୍ତାପ୍ରକଟ କରିବା ସହ ଏ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ।

ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ। ୱାର୍ଲ୍ଡ ହାର୍ଟ ଫେଡେରେସନ ତରଫରୁ ଏହି ଦିବସ ପାଳନ କରାଯାଉଛି। ଏବର୍ଷର ଥିମ ରହିଛି – ୟୁଜ୍ ୟୋର୍ ହାର୍ଟ ଟୁ ପ୍ରୋଟେକ୍ଟ ଦି କମ୍ୟୁନିଟି, ପ୍ରୋଟେକ୍ଟ ଦି ନେଚର ଆଣ୍ଡ ପ୍ରୋଟେକ୍ଟ ୟୋରସେଲ୍ଫ। ଅର୍ଥାତ ପରିବେଶ , ସମାଜ ସହିତ ନିଜକୁ ବଞ୍ଚାଇବା। ଏଥିସହ ହାର୍ଟ ସମ୍ବନ୍ଧିତ ରୋଗଗୁଡିକୁ କମାଇବା ଦିଗରେ ଧ୍ୟାନ ଦେବା।

ସମାଜରେ ହୃଦରୋଗ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରାଯିବା ଦରକାର। ସାହସର ସହ ଏହି ରୋଗକୁ ମୁକାବିଲା କରିବାକୁ ପଡିବ। ରୋଗକୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଯାଇପାରିବ। ସଚେତନତା ସୃଷ୍ଟି ହେଲେ ହିଁ ଏ ଦିଗରେ ସମାଜର ସୁରକ୍ଷା ହୋଇପାରିବ। ସେହିଭଳି ଆଜିକାଲି ପରିବେଶ ଦୂଷିତ ହୋଇ ଉଠୁଥିବା ବେଳେ ସ୍ୱଚ୍ଛ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଲାଣି। ଦୂଷିତ ଜଳବାୟୁ ଓ ପ୍ରଦୂଷଣ ପାଇଁ ଲୋକେ ହୃଦରୋଗରେ ପଡିବାର ସମ୍ଭାବନା ରହିଛି। ବାୟୁ ପ୍ରଦୂଷଣ କମାଇବା ପାଇଁ ହେଲେ ସାଇକେଲର ବହୁଳ ବ୍ୟବହାର ଓ ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର କରିବାକୁ ପଡିବ। ଗାଡିରୁ ନିର୍ଗତ ଧୂଆଁ କମାଇବା ପାଇଁ ଗାଡିର ବ୍ୟବହାର କମାଇବାକୁ ପଡିବ।

ଅନ୍ୟପଟେ ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରିବା ଉଚିତ। ଇମୋସନାଲ ନହୋଇ ଯୋଗ ଧ୍ୟାନ କରିବା ସହ ସୁଷମ ଖାଦ୍ୟ ଖାଇବାକୁ ପଡିବ। ଫଳ, ମାଛ, ଶାଗ, ପନିପରିବା ଖାଇବା ସହିତ ମାଂସ ଓ ଅଣ୍ଡା ଖାଦ୍ୟକୁ କମ୍ ଖାଇବାକୁ ପଡିବ। ଅଫିସ ଓ ଘରେ ଷ୍ଟ୍ରେସ୍ ଫ୍ରି ରହିବା ସହ କାମ ଚାପକୁ କମାଇବାକୁ ପଡିବ। ମନରେ ଶଙ୍କା, ମୁଣ୍ଡରେ ଚିନ୍ତା ଓ ଶରୀରରେ ଆଳସ୍ୟ ରୋଗର ମୂଳ କାରଣ। ତେଣୁ ଏ ଦିଗରେ ଯତ୍ନବାନ ହେବା ସହ ପ୍ରତିଦିନ ଶାରିରୀକ ପରିଶ୍ରମ ଓ ବ୍ୟାୟାମ କରିବା ଜରୁରୀ। ଏ ସବୁ ପ୍ରତି ଗୁରୁତ୍ୱ ଦେଲେ ହୃଦଘାତ ଓ ହୃଦରୋଗକୁ ଏଡେଇ ଦେଇହେବ ବୋଲି ବରିଷ୍ଠ ଡାକ୍ତର ଜେ କେ ପାଢ଼ୀ କହିଛନ୍ତି।

Related posts