ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ପାଳିତ

Published: Oct 2, 2022, 12:35 am IST

ଖୋର୍ଦ୍ଧା: ଆଜି ହେଉଛି ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ଜୟୀ ରାଜଗୁରୁ ଭବନରେ ପାଳିତ ହୋଇଛି। ଏହି ଉପଲକ୍ଷେ ଏକ ଦେୟମୁକ୍ତ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବରିଷ୍ଠ ନାଗରିକ ମାନେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ଡାକ୍ତରୀ ପରାମର୍ଶ ଗ୍ରହଣ କରିଛନ୍ତି। ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଏଭଳି ସୁଯୋଗ ସୃଷ୍ଟି କରିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଏହି ଅବସରରେ ଆୟୋଜିତ ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ବରିଷ୍ଠ ନାଗରିକ ମାନଙ୍କ ସେବା ଯତ୍ନ ବର୍ତ୍ତମାନର ଆବଶ୍ୟକତା ରହିଛି। ଆତ୍ମୀୟ ସ୍ବଜନଙ୍କ ଦ୍ବାରା ଯତ୍ନ ଅନ୍ୟ କୌଣସି ପଞ୍ଚତାରକା ହୋଟେଲ ଭଳି ସୁବିଧା ଥିବା ବୃଦ୍ଧାଶ୍ରମ ସହ ସମାନ ନୁହେଁ ବୋଲି ସେ କହିଛନ୍ତି। ସେମାନଙ୍କୁ ଅଣଦେଖା କରାଗଲେ ଭବିଷ୍ୟତ ପିଢି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମଏଲଏ ଲ୍ୟାଡ ପାଣ୍ଠିରୁ ଏକ କୋଟି ମୂଲ୍ୟରେ ଆଇସିୟୁ ୱାର୍ଡ କାର୍ଯ୍ୟ ଯାରି ରହିଥିବା ବିଧାୟକ କହିଥିଲେ।

ସେହିଭଳି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବରିଷ୍ଠ ନାଗରିକ ମାନେ ସର୍ବଦା ନମସ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଯୁବାବସ୍ଥାରେ ସେମାନେ ସମାଜ ପାଇଁ ତ୍ୟାଗ କରିଥିବାରୁ ପରିଣତ ବୟସରେ ସେମାନଙ୍କ ବିଶ୍ରାମର ଆବଶ୍ୟକତା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ବତନ୍ତ୍ର ୱାଡ ଖୋଲାଯିବା ପ୍ରସ୍ତାବ ରହିଥିବା ଜିଲ୍ଲାପାଳ ଉଲ୍ଲେଖ କରିଥିଲେ।

ବରିଷ୍ଠ ନାଗରିକ ମାନଙ୍କ ଠାରୁ ଉପାଦେୟ ଅନୁଭୂତି ଶିକ୍ଷା କରିବାର ମଧ୍ୟ ଆବଶ୍ୟକତା ରହିଛି । ସେମାନଙ୍କ ସେବା ଓ ଯତ୍ନକୁ ବୋଝ ଭାବେ ବିବେଚନା ନକରି ପାରିବାରିକ ଦାୟିତ୍ବବୋଧ ଭାବେ ଗ୍ରହଣ କରାଯିବା ଉଚିତ। ବରିଷ୍ଠ ନାଗରିକ ମାନଙ୍କ ନିରାପତ୍ତା ନିମନ୍ତେ ଜିଲ୍ଲା ପୁଲିସ ସର୍ବଦା ପ୍ରସ୍ତୁତ ଥିବା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡଃ ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କ ସେବା, ଚିକିତ୍ସା ଏବଂ ସେମାନଙ୍କ ପରାମର୍ଶର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବିଭିନ୍ନ ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା। ଏହି ଅବସରରେ ତହସିଲଦାର ଇପସିତ ସାହୁ ଉପସ୍ଥିତ ଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ ମଲ୍ଲିକ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।

Related posts