
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ। ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ହେବା ନେଇ ପ୍ରକାଶ ପାଇଥିବା ଖବରକୁ ଭାରତୀୟ ପାଣିପାଗ ବିଭାଗ ଅଧୀନ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଖଣ୍ଡନ କରାଯାଇଛି।
ସମ୍ପୃକ୍ତ ଖବରରେ ‘ଆଇଏମଡିର ଆକଳନ’’ ସମ୍ଭାବ୍ୟ ବାତ୍ୟା ‘‘ଓଡ଼ିଶାରେ ସ୍ଥଳଭାଗ’’ ଛୁଇଁବ ବୋଲି ଯାହା ଦର୍ଶାଯାଇଛି ତାହା ତଥ୍ୟ ଆଧାରିତ ନୁହେଁ। ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଜି ସୁଦ୍ଧା କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି।