ଓଡ଼ିଶା ମୋ ପରିବାର ସହାୟତାରେ ଅଯୋଧ୍ୟାରୁ ଓଡ଼ିଶା ଫେରିଲେ ଆହତ ଯାତ୍ରୀ

Published: Oct 29, 2022, 5:11 pm IST

ଭୁବନେଶ୍ବର: ଅଯୋଧ୍ୟାକୁ ତୀର୍ଥ କରିବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଓଡିଆ ଯାତ୍ରୀ, କିଛି ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ କିଛି ଯାତ୍ରୀ ଓଡ଼ିଶା ଫେରିଆସିଥିଲେ। ଆହତ ହୋଇଥିବା ଯାତ୍ରୀମାନଙ୍କ ପାଇଁ ସୁସ୍ଥ ହେବା ପରେ ଓଡ଼ିଶା ଫେରିବା କାଠି କର ପାଠ ଥିଲା। ଅର୍ଥ ଅଭାବରୁ ଘରକୁ ଫେରିପାରୁନଥିଲେ ସେମାନେ, ଖବର ପାଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ନିଜ ନିଜ ଘରକୁ ଫେରିଲେ ଯାତ୍ରୀଗଣ।

ସୂଚନାନୁସାରେ,ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପ୍ରାୟ ୪୦ ରୁ ୪୫ ଭକ୍ତ ତୀର୍ଥ କରିବା ପାଇଁ ଗତ ଅକ୍ଟୋବର ୧୯ ତାରିଖରେ ଏକ ବସ୍ ଯୋଗେ ଅଯୋଧ୍ୟା ବାହାରିଥିଲେ। ଦୁର୍ଭାଗ୍ୟବଶତଃ, ବସ୍ ଟି ଗତ ଅକ୍ଟୋବର ୨୧ତାରିଖରେ ଅଯୋଧ୍ୟା ବାଇ-ପାସ୍ ରୋଡ଼ରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ସହିତ ୩ ଜଣ ପରିବାର ସଦସ୍ୟ ତାଙ୍କର ଦେଖାଶୁଣା କରିବାକୁ ଥିଲେ ଏବଂ ଅନ୍ୟ ଯାତ୍ରୀମାନେ ନିରାପଦରେ ସେହି ବସ ଯୋଗେ ଘରକୁ ଫେରିଆସିଥିଲେ।

ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ ଆହତ ବ୍ୟକ୍ତିମାନଙ୍କୁ ଓଡ଼ିଶା ଫେରାଇ ନେବା ପାଇଁ ସେମାନଙ୍କ ପରିବାର ବର୍ଗ ସ୍ୱେଚ୍ଛାସେବୀ ବୁଢା ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ ଏହି ଖବର ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଟ୍ରେନ ଯୋଗେ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି।

ପରିଶେଷରେ,ତୀର୍ଥ କରିବାକୁ ଯାଇଥିବା ଯାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିଥିବାରୁ ସେମାନଙ୍କ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Related posts