
କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଛି। ଯାହାକୁ ନେଇ ଆଜି ଅଂଚଳର ଆଦିବାସୀମାନେ ଡଇଁଚା ଆର୍ ଆଇ ଅଫିସ୍ ଘେରିବା ସହ ନାକଟିଦେଉଳ ତହସିଲଦାରଙ୍କୁ ଘେରିଥିଲେ। ଏପରିକି ତହସିଲଦାରଙ୍କୁ ୨ କିମି ବାଟ ଚଲାଇ ଚଲାଇ ନେଇଥିବା ଜଣା ପଡିଛି।
ନାକଟିଦେଉଳ ତହସିଲ୍ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ, ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯ (ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ଏପରିକି ନୋଟିସ୍ ମଧ୍ୟ ଦେବା ପାଇଁ ତହସିଲ୍ କର୍ମଚାରୀ ଆସିଥିବା ବେଳେ ଜବର ଦଖଲ କରିଥିବା ପରିବାର ନୋଟିସ୍ କୁ ଗ୍ରହଣ କରି ନ ଥିଲେ। ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଗତ ତା ୧୮/୧୧/୨୦୨୨ ରେ ଭାଙ୍ଗିଦେଇଥିଲେ।
ଏ ସଂପର୍କରେ ପୂର୍ବରୁ ଅଂଚଳବାସୀ ତହସିଲ୍ଦାର ନାକଟିଦେଉଳଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। କୌଣସି ପ୍ରକାର ଗଣ୍ଡଗୋଳ ନ ହେବା ପାଇଁ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲା। ଯେଉଁମାନଙ୍କର ଘରକୁ ପ୍ରଶାସନ ଭାଙ୍ଗିଲା ସେଇ ଗ୍ରାମରେ ନିଜର ଘର ମଧ୍ୟ ରହିଛି। ପୂର୍ବରୁ ସେଇ ଜମିରେ ବନବିଭାଗ ଗଛ ରୋପଣ ମଧ୍ୟ କରିଥିଲା। ହେଲେ ସେ ଗଛଗୁଡିକ ନଷ୍ଟ କରି ଦିଆଯାଇଥିଲା। ସରକାରୀ ଜମିକୁ ଅକ୍ତିଆର କରିବା ପାଇଁ ସେଇ ବ୍ୟକ୍ତିମାନେ ସେଠାରେ ଅସ୍ଥାୟୀ ଘର କରି ରହୁଥିଲେ। ସେମାନେ ଆମକୁ ସେଇ ଯାଗା ବଦଳରେ ଅନ୍ୟ ଏକ ସ୍ଥାନରେ ଜାଗା ଦେବାକୁ ଅଡି ବସିଥିଲେ। ଆଦିବାସୀମାନେ ନ ବୁଝିବାରୁ ସେମାନଙ୍କୁ କିଛି ଯାଗା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ। ଘଟଣା ସ୍ଥଳରେ ରେଢାଖୋଲ ଥାନାଧିକାରୀ, ଏସ୍ଡିପିଓ ତଥା ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଦୀର୍ଘ ୪ ଘଂଟାକାଳ ପ୍ରଶାସନ ନାକେଦମ୍ ହୋଇ ପଡିଥିଲା। ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ଠାରୁ ପ୍ରକାଶ ଯେ, ତଣ୍ଡାବିରା ଛକ ନିକଟରେ ଥିବା ପ୍ରାୟ ଦଶ ଏକର ସରକାରୀ ଜମି ରହିଛି। ସରକାରଙ୍କ ନିୟମ ଅନୁଯାୟୀ ସେଇ ସଂରକ୍ଷିତ ଜମିକୁ ରଖାଯାଇଛି। ସେଇ ଜାଗାରେ କେହି ଘର କରି ରହିପାରିବେ ନାହିଁ ବୋଲି ବିଡିଓ ପ୍ରକାଶ କରିଛନ୍ତି। ପାଚେରୀ ନିର୍ମାଣ ପାଇଁ ମଧ୍ୟ ଟଙ୍କା ମଂଜୁର ହୋଇସାରିଥିବା ଜଣା ପଡିଛି। ସେଇ ଜମିକୁ ଆଦିବାସୀ ପରିବାର ଘର ତିଆରି କରି ରହିଲେ ଆଗକୁ ଏ ଅଂଚଳର ଲୋକମାନେ ଆନ୍ଦୋଳନ କରିବେ ବୋଲି ଜଣା ପଡିଛି।