ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରୁଥିବା କର୍ମଚାରୀଙ୍କୁ ମିଳିଲା ସାହାଯ୍ୟ

Published: Dec 6, 2022, 5:19 pm IST

ଭୁବନେଶ୍ବର: କେବଳ ଶାରୀରିକ ସୁସ୍ଥତା ଜଣଙ୍କୁ ରୋଜଗାରକ୍ଷମ କରିପାରିବ, ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି ବି ଏମ୍ ସି ରେ କାର୍ଯ୍ୟରତ ଥିବା ଜଣେ ଦିବ୍ୟାଙ୍ଗ। ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରି ନିଜ ପରିବାର ପୋଷଣ କରୁଥିବା ଖବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ସହାୟତାର ହାତ ବଢାଇଛି ଓଡ଼ିଶା ମୋ ପରିବାର। ସୁରତଙ୍କୁ ଯୋଗାଇ ଦେଇଛି କୃତ୍ରିମ ହାତ।

ନାଁ, ତାଙ୍କର ସୁରତ ବେହେରା, ବୟସ ୨୬, ଘର, ଭୁବନେଶ୍ଵର ଅନ୍ତର୍ଗତ ଭରତପୁର ଅଞ୍ଚଳରେ। ସୁରତ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ମାତ୍ର, ୮ ବର୍ଷ ବୟସରେ ଦୋଳି ଖେଳିବା ସମୟରେ ସେ ପଡ଼ିଯାଇଥିଲେ,ଫଳରେ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ୨୦୦୬ ମସିହାରେ ହାତଟି ସଂକ୍ରମଣ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାତ କଟା ହୋଇଯାଇଥିଲା, କିନ୍ତୁ ଏହି ଘଟଣା ତାଙ୍କୁ ଆଗକୁ ବଢିବାରେ ଅଟକାଇ ପାରିନି। ଦୃଢ ମନୋବଳ ଫଳରେ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ରୋଜଗାରକ୍ଷମ ହୋଇ ନିଜ ପରିବାର ମଧ୍ୟ ପୋଷୁଛନ୍ତି।

ତାଙ୍କର ଏ ସଂଘର୍ଷମୟ କାହାଣୀ ସମ୍ପର୍କରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ ଆବାହକଙ୍କ ସହ ଆଲୋଚନା କରିଥିଲେ। ଏହାପରେ, ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ସୁରତଙ୍କୁ ଆଜି କୃତ୍ରିମ ହାତ ଯୋଗାଇ ଦିଆଯାଇଛି।

ହାତ ଲାଗିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ଏବଂ ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ହାତ ଲାଗିବା ପରେ ସୁରତଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା । ସେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Related posts