
ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ହୁ ହୁ ହୋଇ ବଢୁଥିବା ବେଳେ ପ୍ରତିଦିନ ପୋଲିସ ଏବଂ ଅବକାରୀ ଚଢ଼ାଉ ଜାରି ରଖିଛି । ତେବେ ଆଜି ଗୋଟାଏ ଦିନରେ ବାଘମାରି, ଜଙ୍କିଆ ଏବଂ ଟାଉନ ଥାନା ଅଞ୍ଚଳରୁ ୩ ଗୋଟି ବ୍ରାଉନ ସୁଗାର କେସ ଠାବ କରିଛି ପୋଲିସ ।
ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଙ୍କ ତତ୍ୱାବଧାନ ଉକ୍ତ ୩ ଥାନା ଅଞ୍ଚଳରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୪ ଜଣ ନିଶା ବେପାରି ଗିରଫ ହୋଇଛନ୍ତି । ବାଘମାରି ଥାନା ଅଟ୍ରି ପଡିଆ ନିକଟରୁ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଅଭିଯୁକ୍ତ କାହ୍ନା ନାୟକଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୩.୦୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ।
ସେହିପରି ଭାବେ ଜଙ୍କିଆ ଥାନା ଛଣଗିରି ଖେଳପଡିଆ ନିକଟସ୍ଥ ଏକ ବିଶ୍ରାମଗୃହ ରୁ ଆଇଆଇସି ଅନିତା ସାହୁ ଅଭିଯୁକ୍ତ ବବଲୁ ନାୟକ(୨୨) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧୧.୯୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ସେହିପରି ଭାବେ ଟାଉନ ଥାନା ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ ନିକଟରୁ ଆଇଆଇସି ତାରିକ ଅହମଦ ଦୁଇ ଅଭିଯୁକ୍ତ ସଞ୍ଜୟ କୁମାର ସାହୁ (୨୭) ଏବଂ ରବୀନ୍ଦ୍ର ବେହେରା(୨୦) ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି ।
ତେବେ ସମସ୍ତ ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୭ ଲକ୍ଷ ୬୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସମସ୍ତ ଚାରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।