ସ୍ଥଗିତ ରହିଲା ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ, ଫେବ୍ରୁଆରି ୨ୟ ସପ୍ତାହରେ ପୁଣି ହେବ ଆଲୋଚନା

Published: Jan 3, 2023, 7:42 pm IST

ଭୁ‌ବନେଶ୍ବର: ଆଜି ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କିନ୍ତୁ ଏହାକୁ ଫେବ୍ରୁଆରି ୨ୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ଅଙ୍ଗନବାଡ଼ି କର୍ମୀ ସଂଘ ସଭାପତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ମଧ୍ୟରେ ଆଜି ଆଲୋଚନା ହୋଇଥିଲା। ଏହି ବୈଠକରେ ଅଙ୍ଗନବାଡ଼ି କର୍ମୀମାନଙ୍କ ୮ ଦଫା ଦାବି ନେଇ ଆଲୋଚନା ହୋଇଥିଲା। ଫେବ୍ରୁଆରି ୨ୟ ସପ୍ତାହରେ ଏହା ଉପରେ ଆଲୋଚନା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିବା ପରେ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଦାବି ପୂରଣ ନହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସଂଘର ସଭାପତି କହିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଦୀର୍ଘ ଦେଢ଼ମାସ ହେବ ଦରମା ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ଅଙ୍ଗନବାଡ଼ି କର୍ମୀମାନେ ଭୁବନେଶ୍ବର ଲୋୟର ପିଏମ୍‌ଜି ସମେତ ରାଜ୍ୟର ଜିଲ୍ଲା ସଦର ମହକୁମା ଓ ବ୍ଲକ କାର୍ଯ୍ୟାଳୟରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଶିଶୁମାନଙ୍କର ପ୍ରାକ ବିଦ୍ୟାଳୟ ଶିକ୍ଷା ପ୍ରଭାବିତ ହୋଇଥିଲା।

Related posts