ବଙ୍ଗଳାରେ ନୁହେଁ ବିହାରରେ ଫିଙ୍ଗାଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Published: Jan 5, 2023, 8:05 pm IST

କୋଲକାତା: ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଶ୍ଚିମବଙ୍ଗରେ ପଥର ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। ଉକ୍ତ ଟ୍ରେନ ଉପରକୁ ଥରେ ନୁହେଁ ଦୁଇ ଦୁଇ ଥର ପଶ୍ଚିମବଙ୍ଗରେ ପଥର ଫିଙ୍ଗାଯାଇଥିବାର ଅଭିଯୋଗ ହୋଇଛି। ଯାହାପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଜି ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସରେ ଫୋପାଡାଯାଇଥିବା ପଥର ପଶ୍ଚିମବଙ୍ଗରେ ନୁହେଁ ବରଂ ପଡୋଶୀ ରାଜ୍ୟ ବିହାରରୁ ହୋଇଛି। ରାଜ୍ୟକୁ ବଦନାମ କରିବା ପାଇଁ ଯେଉଁ ଗଣମାଧ୍ୟମରେ ଏହା ପ୍ରକାଶ କରାଯାଇଛି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି ଯେ, “ଗତ ତିନି ଦିନ ଧରି ଅନେକ ନ୍ୟୁଜ୍ ଚ୍ୟାନେଲ ବଙ୍ଗଳାକୁ ବଦନାମ କରିଛି। ଭୁଲ ଖବର ପ୍ରଚାର କରି ସେମାନେ ବଙ୍ଗଳାକୁ ଅପମାନିତ କରିଛନ୍ତି। ବର୍ତ୍ତମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବଙ୍ଗଳାରେ ଘଟିନାହିଁ, ଏଭଳି ଘଟଣା ବିହାରରେ ଘଟିଛି। ”

ସେ କହିଛନ୍ତି ଯେ, “ବନ୍ଦେ ଭରତ କିଛି ବିଶେଷ ନୁହେଁ। ଏହା ସମାନ ପୁରୁଣା ରଙ୍ଗୀନ ଟ୍ରେନ୍, କେବଳ ଇଞ୍ଜିନ୍ ନୂତନ ଅଟେ। ପ୍ରକାଶ ଯେ, ହାୱାଡା-ନିୟୁ ଜଲପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯିବାର କିଛି ଘଣ୍ଟା ପରେ ଏହା ଉପରକୁ ପଥର ଫିଙ୍ଗାଯାଇଥିଲା।

ପୂର୍ବ ରେଳ ବିବୃତ୍ତି ଅନୁଯାୟୀ ରେଳବାଇ ଦ୍ୱାରା ଆରମ୍ଭ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ବିହାରରେ ମଧ୍ୟ ଏଭଳି ଘଟଣା ଘଟିଛି। ରେଳ ଅଧିକାରୀ ଗୁରୁବାର ଦିନ ଦାବି କରିଛନ୍ତି ଯେ, ଯେଉଁମାନେ ଟ୍ରେନରେ ପଥର ଫିଙ୍ଗିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି।

Related posts