ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

Published: Jan 19, 2023, 7:49 pm IST

ଭୁବନେଶ୍ୱର: ଆଜି ଅପରାହ୍ନରେ ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍‌ଙ୍କ ସମେତ ତାମିଲନାଡ଼ୁ ସରକାରଙ୍କ ବରିଷ୍ଠ ପଦାଧିକାରୀବୃନ୍ଦ ଓଡ଼ିଶା ଗସ୍ତରେ ଆସି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦକ୍ଷତା ତାଲିମ ପ୍ରତି ଥିବା ଦୂରଦୃଷ୍ଟିକୁ ତାମିଲନାଡ଼ୁର ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍‌ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉ କି ଗତ ୧୩ ତାରିଖରୁ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଉତ୍ତୀର୍ଣ୍ଣ ୨୪ ଜଣ ପ୍ରଶିକ୍ଷାର୍ଥୀ ସିଙ୍ଗାପୁରକୁ ତାଲିମ ପାଇଁ ଯାଇଛନ୍ତି । ସିଙ୍ଗାପୁର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଠାରେ ବିଶ୍ୱସ୍ତରୀୟ ସରଞ୍ଜାମ ଓ ଜ୍ଞାନକୌଶଳର ତାଲିମ ପ୍ରଦାନ କରାଯାଉଛି ।

ପ୍ରାରମ୍ଭରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ପ୍ରଦାନ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ବୈଷୟିକ ତାଲିମ ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍‌ଙ୍କୁ ଅବଗତ କରାଇଥିଲେ ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଅଳକା ମିଶ୍ର, କେନ୍ଦ୍ରର ଅଧ୍ୟକ୍ଷ ସଂଗ୍ରରଣ ଗୋପାଳଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍‌ଙ୍କ ସହିତ ତାମିଲନାଡ଼ୁର ବରିଷ୍ଠ ପଦାଧିକାରୀବୃନ୍ଦ ଏୟାର କଣ୍ଡିସନିଙ୍ଗ୍‌ ଏବଂ ରେଫି୍ରଜେରେସନ୍‌ ଲାବ୍‌ ଏବଂ ରୋବୋଟିକ୍‌ ଲାବ୍‌ର ବିଭିନ୍ନ ମେସିନ୍‌ ବୁଲି ଦେଖିଥିଲେ ।

Related posts