
ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା। ଟାଙ୍ଗୀ ରେଂଜ୍ ପଟିଆ ସେକସନ ଅନ୍ତର୍ଗତ ରଣ୍ଡା ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରଣ୍ଡା ଗ୍ରାମର ଦିଲିପ କୁମାର ଜେନାଙ୍କ ଖଳା ବାଡିରେ ପଶି ଗୋଠ ଛଡା ଦନ୍ତା ଧାନ ଛଣ ଖାଉଥିବା ବେଳେ ଦିଲିପ ଜେନା ଦନ୍ତାକୁ ଘଉଡାଇବା ପାଇଁ ପାଟି କରିବାରୁ ଦନ୍ତା ହଠାତ୍ ଉଗ୍ର ହୋଇଥିଲା। ହଠାତ୍ ଘରେ ପଶି ଦନ୍ତା ଦିଲିପଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଦିଲିପଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ଏବେ ମଧ୍ୟ ଶବଟି ସେଠାରେ ପଡି ରହିଛି। ଏହି ଘଟଣାକୁ ନେଇ ଲୋକେ ଉତ୍ତେଜିତ ହୋଇଛନ୍ତି। ଏପର୍ଯ୍ୟନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ନାହିଁ। ମୃତକ ପରିବାରକୁ ସରକାରୀ ସହାୟତା ଦେବାକୁ ଲୋକେ ଦାବି କରିଛନ୍ତି। ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି।