କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡ଼ି

Published: Feb 14, 2023, 12:25 pm IST

ଭୁବନେଶ୍ୱର: କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗରେ ଆଜିଠୁ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଆଜି ପ୍ରଥମ ଦିନରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧରଣା ଦିଆଯାଇଛି। ଏହାର ପ୍ରତିବାଦରେ ଆଜିଠାରୁ ୧୬ ତାରିଖ ଯାଏଁ ବିଜେଡ଼ି ରାଜ୍ୟବ୍ୟାପୀ ପ୍ରତିବାଦ କରିବ। ଆସନ୍ତାକାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କରିବାକୁ ଥିବା ବେଳେ ୧୬ ତାରିଖରେ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିଜେଡି ଆନ୍ଦୋଳନ କରିବାର ଯୋଜନା କରିଛି।

କେନ୍ଦ୍ରର ଅତିରିକ୍ତ ୫ କେଜି ଚାଉଳ କାଟକୁ ବିରୋଧ କରି ଦଳ ତିନି ଦିନିଆ ପ୍ରତିବାଦ ଆରମ୍ଭ କରିଛି। କେନ୍ଦ୍ର ସରକାର ଏଥର ବଜେଟର କ୍ରୟ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଥିବା ବିଜେଡ଼ି କହିଛି। ଏଥି ଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ ବୋଲି ବିଜେଡ଼ି ଅଭିଯୋଗ କରିଛି। ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିଲା। ଏବେ ତାହାକୁ ୪ ଲକ୍ଷ ମେଟ୍ରିକ୍ ଟନକୁ ହ୍ରାସ କରାଯାଇଛି। ତେଣୁ ବିଜେଡ଼ି ଏହାକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ବିଜେଡ଼ି ଦାବିପତ୍ର ଦେବ ବୋଲି ଜଣାପଡିଛି।

Related posts