ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରଶମନ ପଦକ୍ଷେପର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ଏହି ବୈଠକରେ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗର ସଚିବ ଏବଂ ଗ୍ରୀଷ୍ମ ପ୍ରବାହ ବିପଦ ପ୍ରବଣ ରାଜ୍ୟର ମୁଖ୍ୟ ସଚିବମାନେ ଉପସ୍ଥିତ ଥିଲେ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବିଶ୍ଵ ପାଣିପାଗ ଘଟଣା ଓ ମାର୍ଚ୍ଚରୁ ମେ ୨୦୨୩ ପର୍ଯ୍ୟନ୍ତ ଅବଧିରେ ତାପମାତ୍ରା ସ୍ଥିତି ବିଷୟରେ ଏକ ଉପସ୍ଥାପନା ଦିଆଯାଇଥିଲା। ଏହି ଅବସରରେ ଆଇଏମଡି ଦ୍ୱାରା ମାର୍ଚ୍ଚ ୨୦୨୩ର ଦ୍ୱିତୀୟ ପକ୍ଷ ପାଇଁ ପାଣିପାଗ ପୂର୍ବାନୁମାନ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରାଯାଇଥିଲା।
ମାର୍ଚ୍ଚରୁ ମେ ୨୦୨୩ର ଅବଧି ପାଇଁ ପାଣିପାଗ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଆଇଏମଡି ପକ୍ଷରୁ କୁହାଯାଇଥିଲା ଯେ, ଭାରତର ଉତ୍ତର-ପୂର୍ବ କ୍ଷେତ୍ର, ପୂର୍ବ ଓ କେନ୍ଦ୍ରୀୟ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଆଇଏମଡି ଆହୁରି କହିଥିଲା ଯେ, ଭାରତର ଦକ୍ଷିଣ ଉପଦ୍ୱୀପ କ୍ଷେତ୍ରରେ ତାପମାତ୍ରା ସ୍ୱାଭାବିକ ଏବଂ ସ୍ୱାଭାବିକ ଠାରୁ ସାମାନ୍ୟ କମ ରହିବ। ଏହି କ୍ଷେତ୍ରକୁ ବାଦ୍ ଦେଲେ ଦେଶର ଅଧିକାଂଶ ଭାଗରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
ଆଇଏମଡି ପକ୍ଷରୁ ଆହୁରି କୁହାଯାଇଥିଲା ଯେ ମାର୍ଚ୍ଚ ୨୦୨୩ର ଅବଶିଷ୍ଟ ଅବଧିରେ ସେପରି କୌଣସି ବଡ଼ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ନାହିଁ। ତେବେ ମାର୍ଚ୍ଚ ମାସର ଅନ୍ତିମ ସପ୍ତାହ ସମୟରେ ଭାରତର ଗଙ୍ଗା ସମତଳ ଭୂମି କ୍ଷେତ୍ର ଏବଂ ପୂର୍ବ ଭାରତର କେତେକ ଭାଗରେ ତାପମାତ୍ରା ସ୍ୱାଭାବିକ ସ୍ତର ଠାରୁ ୨-୩ ଡିଗ୍ରୀ ସେଲସିୟସ ଅଧିକ ରହିବାର ସମ୍ଭାବନା ରହିଛି।
ବୈଠକରେ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ସୂଚନା ଦେଇଥିଲେ ଯେ ଏବେ ସୁଦ୍ଧା ରବି ଫସଲର ସ୍ଥିତି ସ୍ୱାଭାବିକ ରହିଛି ଏବଂ ଗହମ ଉତ୍ପାଦନ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୧୨.୧୮ ମେଟ୍ରିକ ଟନ୍ ରହିବା ନେଇ ଆଶା କରାଯାଉଛି। ସେ ଆହୁରି ସୂଚନା ଦେଇଥିଲେ ଯେ, ଗହମ ଉପରେ ଚରମ ଗ୍ରୀଷ୍ମପ୍ରବାହର ପ୍ରଭାବକୁ ଅନୁଧ୍ୟାନ ଓ ମୁକାବିଲା କରିବା ଲାଗି ବିଭାଗ ପକ୍ଷରୁ କୃଷି ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହାଛଡ଼ା, ଏକ ଆନ୍ତଃମନ୍ତ୍ରଣାଳୟ କମିଟି ଭାବେ ଗଠିତ ଫସଲ ପାଣିପାଗ ଅନୁଧ୍ୟାନ ଗୋଷ୍ଠୀ (ସିଡବ୍ଲୁଡବ୍ଲୁଜି) ପ୍ରତି ସପ୍ତାହରେ ଫସଲର ସ୍ଥିତି ସମୀକ୍ଷା କରିଥାଏ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ବୈଠକରେ ସୂଚନା ଦେଇଥିଲେ ଯେ, ପ୍ରାଥମିକ ଠାରୁ ଆରମ୍ଭ କରି ବଡ଼ ଡାକ୍ତରଖାନାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ଏବଂ ତାପମାତ୍ରା ବୃଦ୍ଧି ଜନିତ ଅସୁସ୍ଥତାର ଚିକିତ୍ସା କରିବା ଲାଗି ଜୁଲାଇ ୨୦୨୧ରେ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତ ଅସୁସ୍ଥତା ନିମନ୍ତେ ଜାତୀୟ କାର୍ଯ୍ୟ ଯୋଜନା (ଏନଏପି-ଏଚଆରଆଇ) ଜାରି କରାଯାଇଥିଲା। ଜରୁରି ଔଷଧ, ଇଣ୍ଟ୍ରାଭେନସ ଫ୍ଲୁଇଡ, ବରଫ ପ୍ୟାକ, ଓଆରଏସ ଏବଂ ପାନୀୟ ଜଳ ଯଥଷ୍ଟ ପରିମାଣରେ ମହଜୁଦ କରି ରଖିବା ଲାଗି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଠିକ୍ ସମୟରେ ଜରୁରି ସୂଚନା ଓ ସଚେତନତା ସାମଗ୍ରୀ ବିତରଣ କରିବା ଏବଂ ଏହାକୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ପ୍ରକାଶ କରିବା ଉପରେ ସେ ଜୋର ଦେଇ କହିଥିଲେ।
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନ ଜଙ୍ଗଲ ବିଭାଗ ମହାନିର୍ଦ୍ଦେଶକ ଏହି ବୈଠକରେ ଯୋଗ ଦେଇ ଜଙ୍ଗଲ ନିଆଁ ପ୍ରଶମନ ପାଇଁ କାର୍ଯ୍ୟ ଯୋଜନା ଏବଂ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟ ଜଙ୍ଗଲ ବିଭାଗମାନଙ୍କ ଦ୍ୱାରା ଅଧିକ ଜଙ୍ଗଲ ନିଆଁ ପ୍ରବଲ ସ୍ଥାନରେ ଫାୟାର ଲାଇନ୍ ଓ ଜଳ ପରିଚାଳନା ଭିତ୍ତିଭୂମି ନିର୍ମାଣ ଲାଗି ପଦକ୍ଷେପ ନିଆଯାଇଛି। ଏଥିସହିତ ଅଗ୍ନିକାଣ୍ଡ ନିୟନ୍ତ୍ରଣ କରିବା ଓ ନିଆଁ ଜଗୁଆଳୀମାନଙ୍କୁ ମୁତୟନ କରିବା ପ୍ରତି ଦୃଷ୍ଟି ଦିଆଯାଇଛି । ସେ ଆହୁରି ସୂଚନା ଦେଇଥିଲେ ଯେ, ଭାରତୀୟ ଜଙ୍ଗଲ ସର୍ବେକ୍ଷଣ (ଏଫଏସଆଇ) ପକ୍ଷରୁ ‘ବନ ଅଗ୍ନି’ ନାମକ ଏକ ଜଙ୍ଗଲ ନିଆଁ ପୂର୍ବାନୁମାନ ପ୍ରଣାଳୀ ପୋର୍ଟାଲ ବିକଶିତ କରାଯାଇଛି। ଏହା ଜଙ୍ଗଲ ନିଆଁ ସମ୍ପର୍କରେ ଆଗୁଆ ଏବଂ ବାସ୍ତବ ସମୟରେ ବାର୍ତ୍ତା ଦେଇଥାଏ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଏନଡିଏମଏ ଦ୍ୱାରା କରାଯାଇଥିବା ପ୍ରୟାସ ସମ୍ପର୍କରେ ଗୃହ ସଚିବ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗ୍ରୀଷ୍ମ ପ୍ରବାହ ନିରାକରଣ ଓ ପରିଚାଳନା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି ନିମନ୍ତେ ଜାତୀୟ ମାର୍ଗଦର୍ଶିକା ପ୍ରଥମେ ୨୦୧୬ ମସିହାରେ ଜାରି କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ ଏବଂ ୨୦୧୯ରେ ଏଥିରେ ସଂଶୋଧନ କରାଯାଇଥିଲା। ସବୁ ସ୍ତରରେ ଗ୍ରୀଷ୍ମ ପ୍ରବାହ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି, ମାର୍ଚ୍ଚ, ଏପ୍ରିଲ ଓ ମେ ୨୦୨୩ରେ ଦୂରଦର୍ଶନ ଓ ଆକାଶବାଣୀରେ ସଚେତନତା କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ସବୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏନଡିଏମଏ ପକ୍ଷରୁ ଗୋଷ୍ଠୀ ସଚେତନତା ପ୍ରୟାସ କାର୍ଯ୍ୟକାରୀ କରାଯିବ।
ମାର୍ଚ୍ଚ ୨୦୨୩ ସୁଦ୍ଧା ସବୁ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକର ସମସ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଉପରେ ଶକ୍ତି ମନ୍ତ୍ରଣାଳୟର ସଚିବ ଗୁରୁତ୍ବାରୋପ କରିଥିଲେ। କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଦ୍ୱାରା କୋଇଲା ଉତ୍ପାଦନ ବଢ଼ାଇବାକୁ ପଞ୍ଜାବ ଓ ରାଜସ୍ଥାନକୁ ସେ ଅନୁରୋଧ କରିଥିଲେ। ପାନୀୟ ଜଳ ଓ ପରିମଳ ବିଭାଗ, ଜଳ ସମ୍ପଦ ବିଭାଗ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ଏବଂ ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗର ସଚିବମାନେ ପାନୀଳ ଜଳ, ଜଳସେଚନ ଓ ଗୋଖାଦ୍ୟ ବ୍ୟବସ୍ଥା କରିବା ସଂକ୍ରାନ୍ତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।
ଶେଷରେ କ୍ୟାବିନେଟ ସଚିବ କହିଥିଲେ ଯେ ୨୦୨୩ ଗ୍ରୀଷ୍ମ ଋତୁରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ଆଶଙ୍କା କରାଯାଉଥିବାରୁ ଏହା ସହ ଜଡ଼ିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଯଥେଷ୍ଟ ପ୍ରସ୍ତୁତ ରହିବା ଉଚିତ୍। ପ୍ରସ୍ତୁତିକୁ ସର୍ବୋତ୍ତମ ସ୍ତରରେ ରଖିବା ଏବଂ ନିର୍ଦ୍ଧାରିତ ସମୟରେ ପ୍ରଶମନ ଉପାୟକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହିତ କେନ୍ଦ୍ର ମନ୍ତ୍ରଣାଳୟ/ବିଭାଗଗୁଡ଼ିକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ସମ୍ପୃକ୍ତ ବିଭାଗୀୟ ସଚିବ ଏବଂ ଜିଲ୍ଲାପାଳଙ୍କ ସହିତ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିବାକୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କ୍ୟାବିନେଟ ସଚିବ ଅନୁରୋଧ କରିଥିଲେ।
ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଏନଡିଏମଏ ଦ୍ୱାରା ଜାରି ମାର୍ଗଦର୍ଶିକାକୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ପ୍ରସାରିତ କରିବା ଉପରେ ସେ ଜୋର ଦେଇଥିଲେ। ନଳକୂପ ମରାମତି, ଅଗ୍ନିଶମ ବ୍ୟବସ୍ଥା ଯାଞ୍ଚ ଓ ମକ୍ ଡ୍ରିଲ ଭଳି ସାଧାରଣ ପ୍ରସ୍ତୁତି କରିବା ଉପରେ କ୍ୟାବିନେଟ ସଚିବ ଜୋର ଦେଇଥିଲେ। ସମସ୍ତ ପ୍ରକାରର ଆବଶ୍ୟକ ସହାୟତା ପାଇଁ କେନ୍ଦ୍ରୀୟ ଏଜେନ୍ସିମାନେ ନିବିଡ଼ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ବୋଲି ରାଜ୍ୟମାନଙ୍କୁ କ୍ୟାବିନେଟ ସଚିବ ଆଶ୍ବାସନା ଦେଇଥିଲେ।