ଆମ ହସ୍ପିଟାଲ ଯୋଜନା: ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

Published: Mar 20, 2023, 10:44 pm IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁସାରେ ପ୍ରଣିତ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ସଂପୃକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଫଳରେ ଏଥିପାଇଁ ହେଉଥିବା ବିଳମ୍ବ ଏଡାଯାଇ ପାରିବ ଏବଂ କ୍ଷେତ୍ରସ୍ତରୀୟ ଆବଶ୍ୟକତା ଅନୁସାରେ ପ୍ରକଳ୍ପରେ ଛୋଟ ମୋଟ ପରିବର୍ତ୍ତନ କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ପ୍ରକଳ୍ପର ପ୍ରସ୍ତୁତି, ଏହାର ଅନୁମୋଦନ, କାର୍ଯ୍ୟାୟନ ସଂସ୍ଥା ଚୟନ, କ୍ଷେତ୍ରସ୍ତରୀୟ ଅନୁଧ୍ୟାନ, ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆଦି କ୍ଷମତା ଜିଲ୍ଲାସ୍ତରୀୟ କମିଟିକୁ ପ୍ରଦାନ କରାଯାଇଛି ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ କହିଛନ୍ତି। ଏ ବିଷୟରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରପରୁ କାର୍ଯ୍ୟାଳୟ ବିଜ୍ଞାପନ ସଂଖ୍ୟା – ୬୩୪୦ ରେ ସବିଶେଷ ଆଦେଶନାମା ଓଡ଼ିଶା ଗ୍ୟାଜେଟରେ ପ୍ରକାଶ ହେବାସହ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି।

Related posts