ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ପାଳିତ

Published: Apr 4, 2023, 10:47 pm IST

ଭୁବନେଶ୍ବର: ସୂଚନା ଓ ଲୋକସଂପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ-ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ଅମର ଶହୀଦ ରଘୁ-ଦିବାକରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଶହୀଦ ରଘୁ-ଦିବାକରଙ୍କ ସାହସ ତଥା ବି୍ରଟିଶ ଶାସନର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସେମାନଙ୍କର ସଂଗ୍ରାମ ଭାରତର ଅନ୍ୟ ସ୍ୱାଧୀନଚେତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲା ବୋଲି ଉଲ୍ଲେଖ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ଐତିହାସିକ ଶ୍ରୀ ସତ୍ୟବାଦୀ ବଳିୟାରସିଂହ କହିଲେ ଯେ ଅତ୍ୟାଚାରୀ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତାର ଆଶାରେ ରଣପୁରବାସୀ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ଆନ୍ଦୋଳନର ପୁରୋଧା ଭାବେ ଗ୍ରହଣ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ବୈଷୟିକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ଅମର ଶହୀଦ ରଘୁ-ଦିବାକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶହୀଦ ରଘୁ-ଦିବାକର ସ୍ମୃତି କମିଟିର ସାଧାରଣ ସଂପାଦକ ଶ୍ରୀ ଗୌରାଙ୍ଗ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ‘ସ୍ୱର ସୁଧା’ ଅନୁଷ୍ଠାନ ଦ୍ୱାରା ‘ଅମର ଶହୀଦ ରଘୁ-ଦିବାକର’ ନାଟକ ପରିବେଷିତ ହୋଇଥିଲା।

Related posts