ରାଜ୍ୟରେ ଅସହ୍ୟ ତାତି: ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୮ ଡ଼ିଗ୍ରୀ

Published: Apr 12, 2023, 12:14 pm IST

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଛି। ରାସ୍ତା ଘାଟରେ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ଦିନ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵର ରାଜଧାନୀରେ ୩୮ ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ତାପମାତ୍ରା ୩୮.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ପୁରୀରେ ୩୮ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୮ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ଗୋପାଳପୁରରେ ୩୭.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭ ଡ଼ିଗ୍ରୀ ଏବଂ ପାରାଦ୍ୱୀପରେ ୩୪.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ସେଥିପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଜରୁରୀ ନଥିଲେ ଘରୁ ବାହାରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକସ୍ଥଳେ କଳା ଚଷମା, ଗାମୁଛା, ପଣି ବୋତଲ ଇତ୍ୟାଦି ସାଥିରେ ଧରି ବାହାରକୁ ଯିବା ଲାଗି କୁହାଯାଇଛି।

ପ୍ରକାଶ ଥାଉ କି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଆଜି ଠାରୁ ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts